୩ଟି ପର୍ଯ୍ୟାୟରେ ହେବ ବିଦ୍ୟୁତ୍‌ କାଟ: ୪୪ ହଜାର ଉପଭୋକ୍ତାଙ୍କ ୫୨ କୋଟି ଟଙ୍କା ବକେୟା

ନୟାଗଡ଼ ଅଫିସ,୧୬।୧: ନୟାଗଡ଼ ଜିଲା ସେସୁ ପକ୍ଷରୁ ଗୁରୁବାରଠାରୁ ବକେୟା ବିଲ୍‌ ଥିବା ବିଦ୍ୟୁତ୍‌ ଉପଭୋକ୍ତାଙ୍କର ବିଦ୍ୟୁତ୍‌ କାଟ କରାଯିବ। ୩ଟି ପର୍ଯ୍ୟାୟରେ ବିଦ୍ୟୁତ୍‌ କାଟ ହେବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ୍‌ ବିଲ୍‌ର ବକେୟା ଟଙ୍କା ଦେଇ ନ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ବିଦ୍ୟୁତ୍‌ କାଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଲୋଡ଼ଥିବା ଘରୋଇ ଉପଭୋକ୍ତାଙ୍କର ଓ ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କର ବିଦ୍ୟୁତ୍‌ କାଟ କରାଯିବ। ନୟାଗଡ଼ ସେସୁ ଅଧୀନରେ ୧୬ଟି ସେକ୍ସନ ଥିବାବେଳେ ୨ ଲକ୍ଷ ୨ ହଜାର ୪୨୮ ଜଣ ଉପଭୋକ୍ତା ଅଛନ୍ତି। ନଭେମ୍ବର ଶେଷ ସୁଦ୍ଧା ସେମାନଙ୍କ ମଧ୍ୟର ୪୪ହଜାର ଉପଭୋକ୍ତାଙ୍କ ୫୨ କୋଟି ୮୨ ଲକ୍ଷ ୧୪ ହଜାର ୬୦୩ ଟଙ୍କା ବାକି ରହିଛି। ସେହିପରି ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୩ ଟଙ୍କା ବକେୟା ରହିଛି। ଏ ନେଇ ବିଭିନ୍ନ ସମୟରେ ସେସୁ ପକ୍ଷରୁ ବିଭାଗ ଓ ଉପଭୋକ୍ତାମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିରେ କୌଣସି ଫରକ ପଡ଼ିନାହିଁ। ହେଲେ ଗତ ଡିସେମ୍ବର ୧୦ ତାରିଖରେ ବକେୟା ବିଲ୍‌ ରଖିଥିବା ଉପଭୋକ୍ତାଙ୍କ ଜାନୁୟାରୀ ୧୬ରେ ବିଦ୍ୟୁତ୍‌ ସଂଯୋଗ କଟା ହେବା ନେଇ ଘୋଷଣା ହେବା ପରେ ଜିଲା ସେସୁ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ୪୪ ହଜାର ଗ୍ରାହକଙ୍କ ୫୨ କୋଟି ଟଙ୍କା ବକେୟା ଥିବା ନେଇ ସେସୁ ନିର୍ବାହୀଯନ୍ତ୍ରୀ ସୁଜିତ କୁମାର ସାହୁ ପ୍ରକାଶ କରିଛନ୍ତି। ୩୪ ହଜାର ଗ୍ରାହକଙ୍କୁ ଏ ନେଇ ନୋଟିସ୍‌ ଦିଆଯାଇଛି। ପାଖାପାଖି ୧୦ ହଜାର ଗ୍ରାହକ ଡିସେମ୍ବରରେ ପେମେଣ୍ଟ କରିଥିବା ନେଇ ସୂଚନା ଦେଇଥିଲେ। ବିଦ୍ୟୁତ କାଟ ହେବା ପୂର୍ବରୁ ସମସ୍ତ ବିଲ୍‌ ପଇଠ କରିବା ପାଇଁ ସେସୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏ ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଇଛି। ଗୁରୁବାରଠାରୁ ବିଦ୍ୟୁତ୍‌ କାଟ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

Share