୩ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ: ଅଧାରେ ଅଟକିଛି ବିସ୍ତାପାଳ-ମଙ୍ଗଳାପଶି ସଡ଼କ ଯୋଜନା

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଅନେକ ଜାଗାରେ ଅଧାପନ୍ତରିଆ ହୋଇ ପଡି ରହିବା କାରଣରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଠିକାଦାରମାନେ ଧାର୍ଯ୍ୟ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବା ପାଇଁ ଆଦୌ ମନ ଦେଉ ନ ଥିବା ଅଭିଯୋଗ ହୋଇଆସୁଛି। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦାସୀନତା ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। କେନ୍ଦୁଝର ସଦର ବ୍ଲକର ବିସ୍ତାପାଳଠାରୁ ମଙ୍ଗଳାପଶି ପର୍ଯ୍ୟନ୍ତ ଅଢେଇ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇଛି। ଏହି ରାସ୍ତା ପାଇଁ ୧କୋଟି ୪୫ଲକ୍ଷ ୫୪ହଜାର ୫୪୩ଟଙ୍କା ୨୦୧୫-୧୬ ଆର୍ଥିକ ବର୍ଷରୁ ମଞ୍ଜୁର ହୋଇଛି। ଏହି ରାସ୍ତାର ଠିକା କାମ ଅନୁଗୋଳ ଜିଲାର ଏକ କନଷ୍ଟ୍ରକଶନ ନେଇଛି। କାମଟି ୩ା୧୧ା୨୦୧୫ରୁ ଆରମ୍ଭ ହୋଇ ୨ା୧୧ା୨୦୧୬ ଏକବର୍ଷ ମଧ୍ୟରେ ସରିବା କଥା। ମାତ୍ର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାମ ଅଧାରେ ପଡିରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରି ଚଳୁଥିବା ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ମିଳିଥିବା ସୂଚନା ଅନୁସାରେ ବିସ୍ତାପାଳ-ମଙ୍ଗଳାପଶି ୨.୫କିମି ରାସ୍ତା ମଧ୍ୟରୁ ୨.୨୧୩ କିମି ପିଚୁ ଏବଂ ୦.୨୯୦ କିମି କଂକ୍ରିଟ ରାସ୍ତା ପାଇଁ ବ୍ୟୟବରାଦ ହୋଇଛି। ଠିକାଦାର ଏହି ରାସ୍ତାର ମାଟିମୋରମ କାମ କିଛି ସ୍ଥାନରେ କରିଥିଲେ ମଧ୍ୟ ଆଉ କେତେକ ସ୍ଥାନରେ ଖଣ୍ଡିଆ ହୋଇପଡିଛି। କେତେକ ସ୍ଥାନରେ ମେଟାଲ କିଛି ଠୁଳ କରି ରଖାଯାଇଥିଲେ ମଧ୍ୟ ମେଟାଲିଂ କରାଯାଇନାହିଁ। ଧାର୍ଯ୍ୟ ସମୟର ଅବଧି ଶେଷ ହେବାର ଦୁଇବର୍ଷ ଅତିକ୍ରାନ୍ତ କରିଗଲାଣି। କିନ୍ତୁ ଠିକାଦାର ଏହି ରାସ୍ତା କାମ ସମ୍ପୂର୍ଣ୍ଣ ନ କରିବାର କାରଣ ବୁଝାପଡୁନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share