୩ରୁ ଆରମ୍ଭ ହେବ ନୀଳାଦ୍ରି ନିଳୟ ଯୋଜନା: ପୁରୀ ସହର ହେବ ଭିକାରିମୁକ୍ତ

ପୁରୀ ଅଫିସ,୨।୩: ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୀଳାଦ୍ରି ନିଳୟ ଯୋଜନା। ଏନେଇ ଜିଲାପାଳ ବଲୱନ୍ତ ସିଂ ରବିବାର ସଂସ୍କୃତି ଭବନରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଯୋଜନା କାର୍ଯ୍ୟକାରିତା ସମୟରେ ସମ୍ବେଦନଶୀଳ ଓ ଧୈର୍ଯ୍ୟ ରଖି ଏହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ ନୀଳାଦ୍ରି ନିଳୟ (ଭିକାରି ପୁନର୍ବାସ ଗୃହ) କାର୍ଯ୍ୟ କରିବ। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା ରହିବ। ଏପରି କି ସେମାନଙ୍କ ପରିବାର ସହିତ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ। ଭିକାରିମାନଙ୍କୁ କାଉନ୍‌ସେଲିଂ କରି ସେମାନଙ୍କୁ ନୀଳାଦ୍ରି ନିଳୟକୁ ପଠାଇବାର ବ୍ୟବସ୍ଥା କରାଯିବ। ଭିକାରିଙ୍କ ମଧ୍ୟରେ ଥିବା ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ, ରୋଗୀ ଆଦିଙ୍କ ପାଇଁ ସ୍ବତନ୍ତ୍ର ଗୃହ କାର୍ଯ୍ୟ କରିବ। ଆସନ୍ତା ୩ ତାରିଖରୁ ପ୍ରଫୁଲ୍ଲ ଯୋଜନା(ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ)ର ପରାମର୍ଶଦାତାଙ୍କ ତଦାରଖରେ ପୌରସଂସ୍ଥାର ୪ଜଣ କମ୍ୟୁନିଟି ଅର୍ଗାନାଇଜର ଏବଂ ଏହି କାର୍ଯ୍ୟ ଲାଗି ଜିଲା ପ୍ରଶାସନ ସହିତ ସହବନ୍ଧିତ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକର ମିଳିତ ଟିମ୍‌ ଭିକାରିଙ୍କୁ କାଉନ୍‌ସେଲିଂ କରି ସେମାନଙ୍କ ପୁନର୍ବାସର ବ୍ୟବସ୍ଥା କରିବେ। ଏହାକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ଏକ ବୃହତ୍‌ ଓ ସମ୍ବେଦନଶୀଳ ଯୋଜନା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା, ପୋଲିସର ସହାୟତା ନିଆଯିବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ କହିଛନ୍ତି।

Share