Categories: ମେଟ୍ରୋ

୩ରେ ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ: ଭିନ୍ନ ଭିନ୍ନ କ୍ଷେତ୍ରରୁ ୧୧ ଜଣଙ୍କୁ ଦିଆଯିବ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଆସନ୍ତା ୩ ତାରିଖରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ। ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଏହି ଅବସରରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ପାରିଦର୍ଶିତା ହାସଲ କରିପାରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ବୋଲି ଶନିବାର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି।

କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ (ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନ), ଏମ୍ସର୍‌ ଏନ୍‌ଥେସିଓଲୋଜି ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡା. ସୁକଦେବ ନାୟକ (ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ), ବିଶିଷ୍ଟ ଉଦ୍ୟୋଗପତି ତଥା ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ (ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ) ଏବଂ ବୈଜ୍ଞାନିକ ତଥା ଆଇ.ଟି.ଆର. ଚାନ୍ଦିପୁରର ନିର୍ଦ୍ଦେଶକ ବିନୟ କୁମାର ଦାସଙ୍କୁ (ଦଧୀଚି ବିଜ୍ଞାନ ଜ୍ୟୋତି ସମ୍ମାନ) ସମ୍ମାନିତ କରାଯିବା ସହ ଅନ୍ୟ ୭ ଜଣଙ୍କୁ ବିଭିନ୍ନ କ୍ଷେତ୍ର ଲାଗି ସମ୍ବର୍ଦ୍ଧନା ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଜଳ ସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେବେ ବୋଲି ସହମତି ପ୍ରକାଶ କରିଛନ୍ତି। ସମ୍ମିଳନୀରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ମନୋଜ କୁମାର ଦାଶ, ପରିଚାଳନା ଟ୍ରଷ୍ଟି ବବିତା ଦାଶ, ଉପଦେଷ୍ଟା ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ, ନିର୍ଦ୍ଦେଶକ ବାସୁଦେବ ବିଶ୍ୱାଳ, ନିର୍ଦ୍ଦେଶକ ସୀମାଞ୍ଚଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share