ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ୩୦ଟି ପ୍ରତିଷେଧକ ଟୀକାର ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି। ଏସବୁର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। କିଛି ପ୍ରତିଷେଧକ ଟୀକାର ଏବେ ଟ୍ରାଏଲ କରାଯିବା ନେଇ କାର୍ଯ୍ୟ ଜାରି ରହିଛି। ଦେଶରେ ମୁଖ୍ୟତଃ ୩ଟି କ୍ଷେତ୍ରରେ ଗବେଷଣା କରାଯାଉଛି। ପ୍ରଥମତଃ ସମ୍ପ୍ରତି ରହିଥିବା ଔଷଧର ଉପଯୋଗ ଦ୍ୱାରା କିଭଳି କରୋନାକୁ ରୋକା ଯାଇପାରିବ ସେନେଇ ପରୀକ୍ଷା ନିରୀକ୍ଷା କରାଯାଉଛି। ସେହିପରି ଦ୍ୱିତୀୟରେ ନୂତନ ଔଷଧ ପ୍ରସ୍ତୁତି ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ତୃତୀୟରେ ବୃକ୍ଷ ଅର୍କ ଏବଂ ଅନ୍ୟ ଅଂଶରୁ ଔଷଧ ପ୍ରସ୍ତୁତି ଉପରେ ଜୋର୍ ଦିଆଯାଉଛି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟାର୍ଟ ଅପ୍ଗୁଡ଼ିକୁ ଗବେଷଣା ବଢ଼ାଇବା ଲାଗି ପରାମର୍ଶ ଦେଇଛନ୍ତି। ଦେଶର ବୈଜ୍ଞାନିକ ଏବଂ ଶିଳ୍ପସଂସ୍ଥା ମିଳିତଭାବେ କାର୍ଯ୍ୟ କଲେ ସଫଳତା ମିଳିବାର ଆଶା ଅଧିକ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।