୩୦ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍‌:୧୨ ଆହତ ୪ ଗୁରୁତର

ଆଠଗଡ,୧୩ା୧ (ସ୍ବ.ପ୍ର.)- ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ଆଠଗଡ଼ ଥାନା ଅନ୍ତର୍ଗତ ଗୁଣ୍ଡିଚାପୁର ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ଧାନ ଜମିରେ ପଡ଼ିଛି। ଦୁର୍ଘଟଣାରେ ବସ୍‌ରେ ଥିତ୍ବା ୩୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବାଲିଆମ୍ବା ଗ୍ରାମର ପ୍ରଶାନ୍ତ ପ୍ରଧାନ(୫୦), ଓସ୍ତପାଳ ଗ୍ରାମର ଉଲ୍ଲାସ ବାରିକ (୩୨), ଆଠଗଡ଼ ବ୍ଲକ କପୁରସିଂ ଗ୍ରାମର ମାନି ନାୟକ(୧୯), ତବ୍‌ସୁନି ଖାନ୍‌(୫)। ଆହତମାନଙ୍କୁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରମାନଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମହାବୀର ନାମକ ଏହି ବସ୍‌ଟି କଟକରୁ ବାହାରି ଢ଼େଙ୍କାନାଳ ଜିଲାର ରାସୋଳକୁ ଯାଉଥିଲା। ଗୁଣ୍ଡିଚାପୁରସ୍ଥିତ ଛକରେ ବୁଲାଣି ବେଳେ ହଠାତ୍‌ ଷ୍ଟିୟରିଂ କଟିଯିବାରୁ ବସ୍‌ର ଆଗ ଚକ ଅଖ ବାହାରି ପଡିଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ତଳକୁ ଖସିଯାଇଥିଲା।

Share