୩୦ରୁ ତିହିଡ଼ି ମହୋତ୍ସବ

ତିହିଡ଼ି,୨୯ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି କାଳିପଡ଼ିଆରେ ଆସନ୍ତା ୩୦ ତାରିଖଠାରୁ ତିହିଡ଼ି ମହୋତ୍ସବ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୋମବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ମହୋତ୍ସବର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ତିହିଡ଼ି ସ୍ଥିତ ଶ୍ୟାମା କ୍ଲବ ପରିସରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ଶିକ୍ଷାବିତ ସୋମନାଥ ପାଢ଼ୀ କହିଥିଲେ ଯେ, ସ୍ବାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ବିଶିଷ୍ଟ ଚିକିତ୍ସକ ଡା. ଅଶୋକ ମହାପାତ୍ର ଓ ଡା. ସୁଜିତ୍‌ କୁମାର ତ୍ରିପାଠୀ ଉତ୍ସବରେ ଯୋଗଦେବେ। ଏହାଛଡ଼ା ବ୍ଲକର ୫ଟି ହାଇସ୍କୁଲର ଛାତ୍ରୀଛାତ୍ରମାନେ ୫ଦିନ ଧରି ନାଟକ ପରିବେଷଣ କରିବେ। ବ୍ଲକର ୫ଟି ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ୫ଦିନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ମହୋତ୍ସବରେ ଆଞ୍ଚଳିକ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସାହିତ୍ୟ, ସଂସ୍କୃତି, ପ୍ରବଚନ ଓ ହାସ୍ୟରସଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହୋତ୍ସବର ବିଭିନ୍ନ ଦିବସରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଚଳଚ୍ଚିତ୍ର ଅଭିନେତ୍ରୀ, ଅଭିନେତା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା କୁହାଯାଇଥିଲା। ସମ୍ମିଳନୀରେ ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅମର ଜେନା, ହେମନ୍ତ ମହାପାତ୍ର, ଧୀରେନ୍ଦ୍ର ସାହୁ, ମନୋଜ ସେନାପତି, ନରେନ୍ଦ୍ର ବାରିକ, ଅମୂଲ୍ୟ ସେନାପତି, ପ୍ରିୟବ୍ରତ ପାଢ଼ୀ, ଗିରିଜାରମଣ ଜେନା, ପ୍ରଭାତ ଜେନା ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସ, ଭାଜପା ନେତା ରଘୁନାଥ ପାତ୍ର ଏବଂ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।