୩୦ଲକ୍ଷରୁ ଊର୍ଦ୍ଧ୍ୱ ଆୟବହିର୍ଭୂତ ସମ୍ପତ୍ତି ଜବତ

ଭୁବନେଶ୍ୱର,୬ା୬(ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ବିପୁଳ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ। ଭିଜିଲାନ୍ସର ଅଧିକାରୀମାନେ ତାଙ୍କ ଘରେ ଚଢ଼ାଉ କରି ଯାଞ୍ଚ ପରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ଏଥିମଧ୍ୟରେ ୨ଲକ୍ଷ ୮୨ ହଜାର ଟଙ୍କାର ସୁନା ଗହଣା ଓ ଗାଡ଼ି ଏବଂ ୮ ଲକ୍ଷ ଟଙ୍କାର ଏଲ୍‌ଆଇସି ବଣ୍ଡ୍‌ ରହିଛି। ୪ଟି ବ୍ୟାଙ୍କ୍‌ ଆକାଉଣ୍ଟରେ ରହିଛି ୩ଲକ୍ଷ ୧୩ ହଜାର ଟଙ୍କା। ସେହିପରି ତହସିଲଦାର ନିଜ ସମ୍ପର୍କୀୟଙ୍କ ନାମରେ ଟଙ୍କା, ଜମି ରଖିଥିବା ଭିଜିଲାନ୍ସ ଟିମ୍‌ ସନ୍ଦେହ କରୁଛି। ଭୁବନେଶ୍ୱରରେ ରହୁଥିବା ଦୁଇଟି ଘରକୁ ସେ କିଣିଛନ୍ତି ନା ଭଡ଼ାରେ ରହୁଛନ୍ତି ତାହାକୁ ନେଇ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରୁଛି। ଏଥିସହ ଭୁବନେଶ୍ୱର ଓ ବାଲେଶ୍ୱରସ୍ଥିତ ତାଙ୍କର ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ସବୁଠୁ ବଡ଼ କଥା ହେଲା, ରଶ୍ମିରେଖାଙ୍କ ନାମରେ ଗୋଟିଏ ବର୍ଷରେ ୩୦ଥର ଅଭିଯୋଗ ଆସିଥିଲା। ପୂର୍ବରୁ ଭିଜିଲାନ୍ସ ତାଙ୍କୁ ୫ଥର ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିବାବେଳେ ଗୁରୁବାର ତାଙ୍କୁ ଧରିବାରେ ସଫଳତା ପାଇଥିଲା। ତହସିଲଦାର ରଶ୍ମିରେଖାଙ୍କ ସହ ଗିରଫ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।

Share