୩୦୦ ନର୍ସିଂହୋମ୍‌ରେ ମିଳିବନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା ଲାଗିଛି। ୩୦୦ ନର୍ସିଂହୋମ୍‌ ଆଉ ରୋଗୀଙ୍କୁ ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା ଯୋଗାଇବେ ନାହିଁ। ଏନେଇ ଅଲ୍‌ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସରକାରୀ ମେଡିକାଲ ସହ ପ୍ରାୟ ୩୦୦ ନର୍ସିଂହୋମ ଅନୁବନ୍ଧିତ ହୋଇଥିଲେ। ତେବେ ୨୦୧୭ରୁ ସେମାନଙ୍କୁ ବକେୟା ଅର୍ଥ ମିଳି ନ ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ବକେୟା ରହିଛି। ଏ ବାବଦରେ ଗତ ବର୍ଷ ଅନେକ ଥର ବୈଠକ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ସଂଘ ଏପରି ନିଷ୍ପତ୍ତି ନେଇଛି। ଫଳରେ ପ୍ରାୟ ୩୦୦ ନର୍ସିଂହୋମ୍‌ରେ ଏଣିକି ଗରିବ ରୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଉ ସୁବିଧା ଦିଆଯିବ ନାହିଁ ବୋଲି ଫୋରମ୍‌ ସମ୍ପାଦକ ଇନ୍ଦ୍ରମଣି ଜେନା ରୋକ୍‌ଠୋକ୍‌ କହିଛନ୍ତି।

Share