୩୦ ଟନ୍‌ କ୍ରୋମାଇଟ ଜବତ, ୨ ଅଟକ

ଭୁବନ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ ୨ଟି ଟ୍ରକ୍‌ ସହ ୩୦ ଟନ୍‌ କ୍ରୋମାଇଟ୍‌ ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଯାଜପୁର ଜିଲା ସୁକିନ୍ଦା କାଳିଆପାଣି ମାଇନ୍ସରୁ ୪ଟି ଟ୍ରକ କ୍ରୋମାଇଟ ଭୁବନ ଅଞ୍ଚଳକୁ ଚାଲାଣ ହେଉଥିଲା। କାଳିଆପାଣି ମାଇନ୍ସ କର୍ମଚାରୀ ଏଥିରେ ସନ୍ଦେହ କରି ଗାଡ଼ିଗୁଡ଼ିକର ପିଛା କରିଥିଲେ। ହେଲେ ଟ୍ରକ୍‌ଗୁଡ଼ିକର କୌଣସି ସୁରାକ୍‌ ମିଳି ନ ଥିଲା। ଏ ନେଇ ସେମାନେ ଭୁବନ ପୋଲିସକୁ ସୂଚନା ଦେଇଥିଲେ। ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ସଦଳବଳ ଗାଡ଼ିଗୁଡ଼ିକର ପିଛା କରିଥିଲେ। ମୃଦଙ୍ଗା ହାଟ ଛକରେ ୩ଟି ଟ୍ରକ୍‌ କ୍ରୋମାଇଟ ଅନ୍‌ଲୋଡ୍‌ କରି ସେଥିରେ ମାଟି ମିଶ୍ରଣ କରି ପୁଣି ଲୋଡ୍‌ କରୁଥିଲେ। ଚଢ଼ାଉ ସମ୍ପର୍କରେ ସୂଚନା ପାଇ ସେଥିରୁ ଗୋଟିଏ ଟ୍ରକ୍‌ ଫେରାର ହୋଇଯାଇଥିଲା। ଅନ୍ୟ ଦୁଇଟି ଗାଡ଼ି (ନଂ. ଓଆର୍‌ ୦୯ ଏଫ୍‌ ୯୨୬୭) ଏବଂ (ନଂ. ଓଆର୍‌ ୦୯ଡି ୦୯୯୫)କୁ ଜବତ କରିବା ସହ ବେଣ୍ଟଶାଳିଆ ଗ୍ରାମର ବିଜୟ ମଳିକ (୫୦), ଦୁର୍ଯ୍ୟୋଧନ ମଳିକ (୬୪)ଙ୍କୁ ପୋଲିସ ପଚରାଉଚୁରା କରୁଛି।
ଏ ନେଇ ପୋଲିସ କାଳିଆପାଣି ମାଇନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଅଧିକାରୀମାନେ ପହଞ୍ଚତ୍ କ୍ରୋମାଇଟ ନିଜ ଜିମା ନେଇଛନ୍ତି। ଏ ନେଇ କାଳିଆପାଣି ଥାନାରେ ଅଭିଯୋଗ କରିବାକୁ ମାଇନ୍ସ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।