୩୦ ବର୍ଷ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ନୀତି ନିର୍ଦ୍ଧାରଣ ନିର୍ଦ୍ଦେଶ

କଟକ ଅଫିସ,୨୬ା୬: ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି।

ଦୀର୍ଘବର୍ଷ ଧରି ଚାଷ କରୁଥିବା ଚାଷୀଙ୍କୁ ବେଦଖଲ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଚାଷୀଙ୍କୁ କିପରି ସେହି ଜମି ହସ୍ତାନ୍ତର କରାଯାଇପାରିବ ସେନେଇ ନୀତିଗତ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି। ଉଭୟ ଚାଷୀ ଏବଂ ସରକାରଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ରବିବାର ହାଇକୋର୍ଟ ଏହି ଶୁଣାଣି କରିଛନ୍ତି।

ସୂଚନାନୁଯାୟୀ, ଜଗତସିଂହପୁର ଜିଲା ବାଲିକୁଦା ଅଞ୍ଚଳର ବୃନ୍ଦାବନ ଜେନା ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

Share