Categories: ଫୁରସତ

୩୦ ମିନିଟ୍‌ରେ ୬୦୦ ମିଟର ନଦୀ ପାର ହେଲେ ଦିବ୍ୟାଙ୍ଗ ଛାତ୍ର

କୋଚି: ଆଖି ବନ୍ଦ ସମୟରେ ସ୍ବପ୍ନ ତ ନିଶ୍ଚିତ ଆସେ। କିନ୍ତୁ ଏହି ସ୍ବପ୍ନକୁ ପୂରା କରିବା ପାଇଁ ଆଖିର ଆବଶ୍ୟକତା ଢେର୍‌ ଅଧିକ। ଆଖି ନ ଥାଇ ସ୍ବପ୍ନକୁ ସାକାର କରିଛନ୍ତି ଜଣେ ଦିବ୍ୟାଙ୍ଗ ବାଳକ। ତାଙ୍କର ଚକ୍ଷୁ ନ ଥାଇ ମଧ୍ୟ ୩୦ ମିନିଟ୍‌ରେ ୬୦୦ ମିଟର ନଦୀ ପାର ହେବାରେ ସେ ସକ୍ଷମ ହୋଇଛନ୍ତି। ୬ଷ୍ଠ ଶ୍ରେଣୀରେ ପଢୁଥିବା ଦିବ୍ୟାଙ୍ଗ ଆର୍‌ ମନୋଜ ମଙ୍ଗଳବାର ୩୦ ମାତ୍ର ୩୦ ମିନିଟ୍‌ରେ ୬୦୦ ମିଟର ଏକ ନଦୀ ପାର ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ମନୋଜ ତାଙ୍କ ଟ୍ରେନର ବା ତାଲିମଦାତା ସାଜି ବେଲାସେରିଲ୍‌ଙ୍କ ମାର୍ଗଦର୍ଶନରେ ଏହି ସ୍ବପ୍ନ ପୂରା କରିଛନ୍ତି।

ସାଜି ୧୦ ବର୍ଷ ମଧ୍ୟରେ ୩ ହଜାରରୁ ଅଧିକ ପିଲାଙ୍କୁ ସୁଇମିଂ ଶିଖାଉଛନ୍ତି। ମନୋଜ ସାଜିଙ୍କ ଦ୍ୱିତୀୟ ଦିବ୍ୟାଙ୍ଗ ଛାତ୍ର। ଏହା ପୂର୍ବରୁ ଏପରି ନଦୀ ପାର ହୋଇଥିଲେ ଦିବ୍ୟାଙ୍ଗ ନବନିତ। ୨୦୧୫ରେ ସେ ନଦୀ ପାର ହୋଇଥିଲେ। ମନୋଜ ସକାଳ ୮.୧୦ରେ ନଦୀରେ ପହଁରିବା ଆରମ୍ଭ କରିଥିଲେ। ଏହି ପ୍ରତିଯୋଗିତାକୁ ଅଦୈତ ଆଶ୍ରମର ପ୍ରମୁଖ ସ୍ବାମୀ ଶିବାଶ୍ୱରୂପାନନ୍ଦ ଶୁଭାରମ୍ଭ କରିଥିଲେ। ଏଠାରେ ମନୋଜ ଟ୍ରେନରଙ୍କ ସାଉଣ୍ଡ୍‌ ସିଗ୍‌ନାଲରୁ ପହଁରିବା ଆରମ୍ଭ କରିଥିଲେ। ନଦୀଘାଟରେ ମନୋଜଙ୍କ ମାତାପିତା, ସ୍କୁଲ ମ୍ୟାନେଜର ଏବଂ କିଛି ସହପାଠୀ ଉପସ୍ଥିତ ଥିଲେ। ମନୋଜଙ୍କ ପିତା କୁହନ୍ତି, ପିଲାଦିନରୁ ପହଁରିବା ତା’ର ଲକ୍ଷ୍ୟ ଥିଲା। ତେଣୁ ସେ ସାଜିଙ୍କ ନିକଟରେ ନେଇ ଛାଡ଼ିଥିଲେ। ୩୦ ଦିନ ମଧ୍ୟରେ ମନୋଜଙ୍କଠାରେ ଏପରି ପ୍ରତିଭା ଥିବା ଜଣାପଡ଼ିଥିଲା।

Share