Categories: ଫୁରସତ

୩୦ ହଜାର ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ବିଶ୍ୱର ପ୍ରଥମ ରେଳ ନଏଜ ବ୍ୟାରିୟର

ଚାଇନାର ଗୁଆଙ୍ଗଡଙ୍ଗ ଜିଲା ଜିଆଙ୍ଗମେନ୍‌ ସହରରେ ବିଶ୍ୱର ପ୍ରଥମ ହାଇସ୍ପିଡ୍‌ ରେଳ ନଏଜ୍‌ ବ୍ୟାରିୟର ନିର୍ମାଣ କରାଯାଇଛି। ୩୫୫ କିଲୋମିଟର ଜିଆଙ୍ଗମେନ୍‌-ଝାଞ୍ଜିୟାଙ୍ଗ୍‌ ହାଇସ୍ପିଡ୍‌ ରେଳ ଟ୍ରାକ୍‌ ଉପରେ ଏହି ନଏଜ ବ୍ୟାରିୟର ୨ କିଲୋମିଟର ପର୍ଯ୍ୟନ୍ତ କରାଯାଇଛି। ବ୍ୟାରିୟର ନିର୍ମାଣ କରାଯିବାର ଉଦ୍ଦେଶ୍ୟ ହେଲା ଆର୍ଦ୍ରଭୂମିରେ ରହୁଥିବା ପ୍ରାୟ ୩୦ ହଜାର ପକ୍ଷୀଙ୍କ ଜୀବନ ବଞ୍ଚିଯିବ। ଏହା ସର୍ବସାଧାରଣଙ୍କ ପାଇଁ ଚଳିତମାସ ପ୍ରଥମ ସପ୍ତାହରେ ଖୋଲାଯାଇଛି। ରେଳ ନଏଜ ବ୍ୟାରିୟରଠାରୁ ଆର୍ଦ୍ରଭୂମିର ଦୂରତା ମାତ୍ର ୮୦୦ ମିଟର। ଏଠାରେ ଏକ ଛୋଟ ଟାପୁ ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠି ଏକ ବିରାଟ ବରଗଛ ରହିଛି। ଏହି ଗଛରେ ହଜାର ହଜାର ପକ୍ଷୀ ବାସ କରୁଛନ୍ତି। ଏହା ନିକଟରେ ଯେତେବେଳେ ରେଳ ଟ୍ରାକ୍‌ ନିର୍ମାଣ କରାଗଲା ଲୋକେ ବିରୋଧ କରିଥିଲେ।

ଲୋକଙ୍କ କହିବା ଅନୁସାରେ, ରେଳ ଯିବା ସମୟରେ ଏହାର ଶବ୍ଦରେ ପକ୍ଷୀମାନେ ଅସୁରକ୍ଷିତ ହୋଇପଡ଼ିବେ। ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ପହଞ୍ଚାଇବ। ଏଠାରେ ଏକ ରେଳ ନଏଜ ବ୍ୟାରିୟର ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଶେଷରେ ଏହି ରେଳ ନଏଜ ବ୍ୟାରିୟର ନିର୍ମାଣ କରାଗଲା। ଏହି ଟ୍ରାକ୍‌ରେ ରେଳ ଯିବା ସମୟରେ ୦.୨ ଡେସିବେଲ୍‌ ଶବ୍ଦ ମଧ୍ୟରେ ସୀମିତ ରହିବ। ଏହା ଶେଷ ହେବାକୁ ୩ ବର୍ଷ ଲାଗିଥିଲା। ଏଥିରେ ୧୯୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Share