୩୧ଦାଦନ ଶ୍ରମିକ ଉଦ୍ଧାର, ୩ସର୍ଦ୍ଦାର ଗିରଫ

ଲାଠୋର/ମୁରିବାହାଲ, ୭ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଓ ମୁରିବାହାଲ ଥାନା ଅଞ୍ଚଳରୁ ବେଆଇନଭାବେ ଚାଲାଣ କରାଯାଉଥିବା ବେଳେ ୧୧ ଶିଶୁଙ୍କ ସହ ୩୧ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରାଯାଇଛି। ଉଭୟ ଘଟଣାରେ ୩ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଉଦ୍ଧାର ପରେ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏଥିସହ ବେଆଇନଭାବେ ଦାଦାନ ଚାଲାଣ କରୁଥିବା ୨ ଦାଦନ ସର୍ଦ୍ଦାର ଗିରଫ ହୋଇଛନ୍ତି।
ବୁଧବାର ବିଳମ୍ବିତ ରାତ୍ରିରେ ବରଗଡ ଜିଲା ବରପାଲି ଥାନା ପଧାନପାଲି ଏବଂ ବଲାଙ୍ଗୀର ସଦର ହାତିସାଲପଡାର ୧୧ଶିଶୁଙ୍କ ସହ ୨୨ଜଣଙ୍କୁ ତୁରେକେଲା ଥାନା ବରିଆଲି ଗ୍ରାମର ସର୍ଦ୍ଦାର ଘନଶ୍ୟାମ ବେମାଲ ଓ ପରେଶ୍ୱର ବେମାଲ ଲାଠୋରରୁ ବରିଆଲିକୁ ନେଉଥିଲେ। ଲାଠୋର ପୋଲିସ କୌଣସି ସୂତ୍ରରୁ ଖବର ପାଇ କେତେକ ଶ୍ରମିକଙ୍କୁ ରାସ୍ତାରୁ ଉଦ୍ଧାର କରିଥିବା ବେଳେ ଅନ୍ୟମାନଙ୍କୁ ବରିଆଲି ଗ୍ରାମରୁ ଉଦ୍ଧାର କରିଥିଲା। ଖପ୍ରାଖୋଲ ଶ୍ରମ ନିରୀକ୍ଷକ ସୁଧିର କୁମାର ସାହୁ ଲାଠୋର ଥାନାକୁ ଆସି ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ। ଦାଦନ ସର୍ଦ୍ଦାରମାନଙ୍କ ବିରୋଧରେ ଲାଠୋର ଥାନାରେ ଏକ ମାମଲା (ନଂ.୧୧୩/୧୯) ରୁଜୁ କରିଥିବା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।
ସେହିପରି ମୁରିବାହାଲ ପାଟ୍ରୋଲିଂ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଲେବଡା ଗ୍ରାମର ମଦଭାଟି ଛକ ନିକଟରେ ୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୪ ମହିଳା ଓ ୫ଜଣ ପୁରୁଷ ଥିବାବେଳେ ସେମାନେ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ତରଭା ଅଞ୍ଚଳର। ସେମାନଙ୍କୁ ଚାଲାଣ କରିବାକୁ ନେଉଥିବା ଦାଦନ ସର୍ଦ୍ଦାର ଗିରଫ ହୋଇଛନ୍ତି। ଗିରଫ ସର୍ଦ୍ଦାର ହେଲେ ଲେବଡା ଗ୍ରାମର ଭଗମନ ଭୋଇ(୩୫)। ତାଙ୍କ ବିରୋଧରେ ମୁରିବାହାଲ ଥାନାରେ ଏକ ମାମଲା(ନଂ. ୨୧୭/୧୯) ରୁଜୁ କରାଯାଇ ଗୁରୁବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲକୁ ପଠାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ରଞ୍ଜନ କୁମାର ବରିହା କହିଛନ୍ତି।

Share