୩୧ ପର୍ଯ୍ୟନ୍ତ ବନ୍ଦ ରହିଲା ଡିଏଲ୍‌, ଏଲ୍‌ଏଲ୍‌ ଟେଷ୍ଟ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ଆର୍‌ଟିଓ କାର୍ଯ୍ୟାଳୟରେ ବୁଧବାରଠାରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ବନ୍ଦ ରହିବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଏନେଇ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ସ୍ବିକୃତି ମିଳିବାପରେ ଏନେଇ ସୂଚନା ଦିଆଯାଇଛି। କେବଳ ଗାଡ଼ିର ଫିଟ୍‌ନେସ, ପରମିଟ୍‌ ଏବଂ ଟ୍ୟାକ୍ସ ଆଦାୟ ଜାରି ରହିବ ବୋଲି ସୂଚନା ମିଳିଛି। ଆର୍‌ଟିଓରେ ଜନଗହଳି ହେଉଥିବା ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ପରିବହନ ବିଭାଗ ପକ୍ଷରୁ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ମଧ୍ୟ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି। କେନ୍ଦ୍ର ସରକାର ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ କରିବାପରେ ଲାଇସେନ୍ସ ନେବା ପାଇଁ ଆର୍‌ଟିଓ କାର୍ଯ୍ୟାଳୟଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ହେଲେ ଏବେଠାରୁ ଆର୍‌ଟିଓ କାର୍ଯ୍ୟାଳୟଗୁଡିକରେ ୫୦ରୁ ଅଧିକ ଲୋକ ଏକାଠି ନ ହେବା ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପରାମର୍ଶ ଦେବା ସହ ଭିଡ଼ ନ କରିବାକୁ କହିଛନ୍ତି। ମନ୍ତ୍ରୀ ବେହେରା ଆହୁରି କହିଛନ୍ତି ଯେ, ଗୋଟିଏ ଦିନରେ ୫୦ଜଣ ଆସନ୍ତୁ। ଯେଉଁମାନଙ୍କ ଲାଇସେନ୍ସ ପରୀକ୍ଷା ପାଇଁ ତାରିଖ ନ ରହୁଛି ସେମାନେ ନ ଆସନ୍ତୁ। ଏଥିଲାଗି ସବୁ ଆର୍‌ଟିଓକୁ ନିର୍ଦ୍ଦେଶ ଦେବା ସହ ସେମାନେ କିପରି ଏ ସମ୍ପର୍କରେ ଲୋକମାନଙ୍କୁ ଜଣାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ସେହିପରି ବସ୍‌ଷ୍ଟାଣ୍ଡରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ। ବସ୍‌ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବ। ବସ୍‌ ମାଲିକ ସଂଘ ଓ ପରିବହନ ବିଭାଗ ମିଳିତଭାବେ ମାସ୍କ ଯୋଗାଇବେ। ବସ୍‌ଷ୍ଟାଣ୍ଡଗୁଡିକୁ ମଧ୍ୟ ସାନିଟାଇଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share