୩୧ ବର୍ଷ ପରେ ଛୋଟପରଦାକୁ ଫେରୁଛନ୍ତି ବାଦ୍‌ଶାହା

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଶେଷଥର ପାଇଁ ବଡ଼ପରଦାରେ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ‘ଜିରୋ’ ପରଠାରୁ ତାଙ୍କୁ କୌଣସି ଫିଲ୍ମରେ ଆଉ ଦେଖିବାକୁ ମିଳିନାହିଁ କିମ୍ବା କୌଣସି ଫିଲ୍ମରେ ନଜର ଆସିବାର ଘୋଷଣା ମଧ୍ୟ ଏ ପର୍ଯ୍ୟନ୍ତ କରିନାହାନ୍ତି। କିନ୍ତୁ ଫ୍ୟାନ୍‌ମାନଙ୍କ ନିକଟକୁ ସେ ଖୁବ୍‌ଶୀଘ୍ର ସ୍କ୍ରିନ୍‌ରେ ଫେରିବେ। କାରଣ ଶାହାରୁଖ୍‌ ପୁଣି ଥରେ ଛୋଟପରଦାରେ ନଜର ଆସିବେ। ତାଙ୍କର ଏକ ଟେଲିଭିଜନ ଶୋ ‘ସର୍କସ’ରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବେ।
କରୋନା ଭୂତାଣୁ ଯୋଗୁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ଯେଉଁଥିପାଇଁ ସବୁ ଲୋକ ଘରେ ରହୁଛନ୍ତି। ହାତଗୋଡ଼ ବାନ୍ଧି ଲୋକେ ଖାଲିଟାରେ ଘରେ ବସି ବସି ବୋର୍‌ ହୋଇଗଲେଣି। ତେଣୁ ମନକୁ ଟିକେ ହାଲୁକା କରିବା ପାଇଁ ମନୋରଞ୍ଜନ ନିହାତି ଜରୁରୀ। ଶାହାରୁଖଙ୍କ ସିରିୟଲ ‘ସର୍କସ’ ଖୁବ୍‌ଶୀଘ୍ର ଡିଡି ନ୍ୟାଶନାଲରେ ପ୍ରସାରିତ ହେବ। ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଦୂରଦର୍ଶନରେ ଏହା ପ୍ରସାରିତ ହୋଇଥିଲା। ଆଜି ଅର୍ଥାତ୍‌ ଶନିବାର ଏହି ସିରିୟଲ ରାତି ୮ଟାରେ ପ୍ରସାରିତ ହେବ। ଦୂରଦର୍ଶନ ନ୍ୟାଶନାଲ ଟୁଇଟରରୁ ଏ ସମ୍ପର୍କରେ ଜଣାପଡ଼ିଛି।

Share