Categories: ଜାତୀୟ

୩୧ ଯାଏ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ

ନୂଆଦିଲ୍ଲୀ, ୧୩।୩: କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ସରକାରଙ୍କ ବିଭିନ୍ନ ପ୍ରୟାସ ଓ ସଚେତନତା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାଙ୍କ ପରୀକ୍ଷା ସରି ନ ଥିଲେ ବି କରୋନା ଭୟ ଯୋଗୁ କେଜ୍‌ରିଓ୍ବାଲ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି। କରୋନାକୁ ମହାମାରୀ ଭାବେ ଘୋଷଣା କରାଯିବା ପରେ ବିଭିନ୍ନ ସତର୍କତା ଗ୍ରହଣ କରାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ରାଜଧାନୀରେ ସିନେମା ହଲ ବି ୩୧ ଯାଏ ବନ୍ଦରହିବ ବୋଲି ଘୋଷଣା କରିଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶପିଂ ମଲ, ସର୍ବସାଧାରଣ ସ୍ଥାନ ଆଦିଗୁଡ଼ିକ କୀଟାଣୁରହିତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶଥାଉ କି, ଗୁରୁବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ୬ ଜଣ ଆକ୍ରାନ୍ତ ଅଛନ୍ତି। କୋଭିଡ୍‌-୧୯ ଭାବେ ଜଣାଶୁଣା ଏହି ଭୂତାଣୁ ବିଶ୍ୱର ଶତାଧିକ ଦେଶକୁ ସଂକ୍ରମିତ ହୋଇ ୪,୨୦୦ ମୁଣ୍ଡ ନେଲାଣି। ପ୍ରାୟ ୧.୧୭ ଲକ୍ଷ ଲୋକ ଏହାଦ୍ୱାରା ଏବେ ସଂକ୍ରମିତ ଥିବା ଜଣାପଡ଼ିଛି।
ଭୟରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହା ୨୪ରେ ମୁକ୍ତିଲାଭ କରିବାର ଥିଲା।

Share