୩୨ଦିନ ମୃତ୍ୟୁ ସହ ଛକାପଞ୍ଝା

ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍‌ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏଭଳି ଏକ ଘଟଣା ଘଟିଛି ପ୍ରଶାନ୍ତ ମହାସାଗରରେ। ମୃତ୍ୟୁପଞ୍ଝାରୁ ବଞ୍ଚତ୍ୟାଇଥିବା ପାପୁଆ ନ୍ୟୁଗିନିର ସମ୍ପୃକ୍ତ ୪ଜଣ ବ୍ୟକ୍ତି ବଖାଣିଛନ୍ତି ସେମାନଙ୍କ ସହ ଘଟିଥିବା ଅଙ୍ଗେନିଭା କାହାଣୀ। ବର୍ଷା ପାଣି ଏବଂ ନଡ଼ିଆ ସେମାନଙ୍କୁ ଏତେ ଦିନ ଧରି ବଞ୍ଚାଇ ରଖିଥିବା ସେମାନେ କହିଛନ୍ତି।
ପାପୁଆ ନ୍ୟୁଗିନିର ବୋଗେନଭିଲ ପ୍ରାନ୍ତର ଏକ ଦଳ ଗତ ଡିସେମ୍ବର ୨୨ରେ ଖ୍ରୀଷ୍ଟମାସ୍‌ ପାଳନ କରିବାକୁ କାର୍ଟେଟ୍‌ ଦ୍ୱୀପ ଅଭିମୁଖେ ବାହାରିଥିଲେ। ଉକ୍ତ ସ୍ଥାନ ବୋଗେନଭିଲଠାରୁ ୧୦୦ କିମି ଦୂରରେ ଅବସ୍ଥିତ। ବଞ୍ଚିଯାଇଥିବା ବ୍ୟକ୍ତି ଡୋମିନିକ୍‌ ଷ୍ଟେଲି କୁହନ୍ତି, ଦ୍ୱୀପକୁ ଯିବା ସମୟରେ ଛୋଟ ନୌକାଟି ବୁଡ଼ିଯାଇଥିଲା। ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ଜଣ ବୁଡ଼ିଗଲେ। ଅନ୍ୟମାନେ ବହୁକଷ୍ଟରେ ନୌକାକୁ ସିଧା କରିବାରେ ସଫଳ ହେଲୁ। ହେଲେ କୂଳକୁ ଆସିବା ବଦଳରେ ଦିଗହରା ହୋଇ ଦୂରକୁ ଚାଲିଗଲୁ। ପରିସ୍ଥିତି ପ୍ରତିକୂଳ ଥିଲା। ଭୋକ, ଶୋଷରେ ଆଉଟୁପାଉଟୁ ହେବା ଛଡ଼ା ଅନ୍ୟ ପନ୍ଥା ନ ଥିଲା। ତା’ସାଙ୍ଗକୁ ଅଶାନ୍ତ ସମୁଦ୍ର ପ୍ରତି ମୁହୂର୍ତ୍ତରେ ପରୀକ୍ଷା ନେଉଥିଲା। ପ୍ରତିକୂଳ ପରିବେଶ ସତ୍ତ୍ୱେ ବହୁକଷ୍ଟରେ ୮ ଜଣ ହିଁ ଜୀବନ ବଞ୍ଚାଇ ପାରିଥିଲୁ। ସେମାନଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ତାଙ୍କ ଛୁଆ ଥିଲେ। ମାତ୍ର କିଛି ଦିନ ମଧ୍ୟରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ଛୁଆକୁ ସମ୍ଭାଳିବା ଦାୟିତ୍ୱ କାନ୍ଧରେ ପଡ଼ିଲା। ସବୁ ଚେଷ୍ଟା ସତ୍ତ୍ୱେ ଛୁଆକୁ ବି ବଞ୍ଚାଇ ହେଲାନି। ଏହିପରି ୮ଜଣଙ୍କ ମଧ୍ୟରୁ ୪ଜଣ ମୃତ୍ୟୁମୁଖରେ ପଡ଼ିଲେ। ମୃତଦେହକୁ ସମୁଦ୍ରରେ ଫିଙ୍ଗି ଦେବାକୁ ବାଧ୍ୟ ହେଲୁ। ସମୁଦ୍ର ମଧ୍ୟରେ ଥିବାବେଳେ ଅନେକ ମାଛମରା ବୋଟ ଡଙ୍ଗା ନିକଟରେ ଯାଇଥିଲା। ହେଲେ କାହାରି ନଜର ଆମ ଉପରେ ପଡ଼ି ନ ଥିଲା। ଶେଷରେ ଈଶ୍ୱର ଆମ ପ୍ରାର୍ଥନା ଶୁଣିଲେ। ଏକ ମାଛଧରା ଡଙ୍ଗା ଆମକୁ ଦେଖିଲା। ନ୍ୟୁ କଲେଡୋନିଆ ତଟରୁ ୨୦୦୦କିମି ଦୂର ସମୁଦ୍ର ଭିତରୁ ୨୩ ଜାନୁୟାରୀରେ ସମସ୍ତଙ୍କୁ ଉଦ୍ଧାର କରାଗଲା। ପାପୁଆ ନ୍ୟୁଗିନିରେ ଚିକିତ୍ସା ପରେ ସମସ୍ତଙ୍କୁ ମୁକ୍ତ କରି ଦିଆଯାଇଥିବା ଡୋମିନିକ୍‌ କହିଛନ୍ତି।

Share