ନାଗପୁର,୨୫।୧- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଶନିବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ଦିନିକିଆ, ଟି୨୦ ଓ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉ ନ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି। ତାଙ୍କର ଜନ୍ମଦିନ ଅବସରରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଗୁଜରାଟୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ପୂଜାରାଙ୍କୁ ଆଉଟ୍ କରିବା ପାଇଁ ପୂଜାରିଙ୍କ ଆଶୀର୍ବାଦ ଦରକାର। ଜନ୍ମଦିନର ଅନେକ ଶୁଭକାମନା। ବିସିସିଆଇ ମଧ୍ୟ ଶୁଭେଚ୍ଛୁଙ୍କ ମଧ୍ୟରେ ରହିଛି। ଟେକ୍ନିକ, କ୍ଲାସ, ଦୃଢ଼ ମାନସିକତାର ପ୍ରତୀକ ପୂଜାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ବିସିସିଆଇ ତା’ର ଟୁଇଟର ପେଜରେ ଲେଖିଛି। ତାଙ୍କ ଶୁଭେଚ୍ଛୁଙ୍କ ତାଲିକାରେ ରିଦ୍ଧିମାନ ଶାହା, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ କୈଫଙ୍କ ଭଳି ସାଥୀ ଓ ପୂର୍ବତନ ଖେଳାଳି ରହିଛନ୍ତି। ଉଲ୍ଲେଖଥାଉ କି, ପୂଜାରାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିବାକୁ ସକ୍ଷମ ହୋଇଥିଲା। ସେ ଏପର୍ଯ୍ୟନ୍ତ ୭୫ ଟେଷ୍ଟରୁ ୧୮ ଶତକ ସହ ୫,୭୪୦ ରନ୍ କରିସାରିଛନ୍ତି।