Categories: ବାଣିଜ୍ୟ

୩,୩୦୦ କୋଟିର ହାଓଲା ର଼୍ୟାକେଟ ଠାବ

ନୂଆଦିଲ୍ଲୀ,୧୨-୧୧: ଆୟକର ବିଭାଗ ପକ୍ଷରୁ ୩,୩୦୦ କୋଟି ଟଙ୍କାର ହାଓଲା ର଼୍ୟାକେଟ ଠାବ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସୂଚନା ଦେଇଛି। ଏହାର ଚେର ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦ ଭଳି ସହରକୁ ମାଡିଛି। ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେକ ପ୍ରମୁଖ କର୍ପୋରେଟ ହାଉସ ଏହା ସହ ଲିଙ୍କ୍‌ ରହିଥିବା ସିବିଡିଟି କହିଛି। ଟିକସ ଠକେଇ ବିରୋଧରେ ଆୟକର ବିଭାଗ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହରେ ଦେଶର ୪୨ ସ୍ଥାନରେ ଚଢାଉ ହୋଇଥିଲା। ଲୋକମାନେ ମିଥ୍ୟା ବିଲ୍‌ ଦ୍ୱାରା ହାଓଲା ନେଣଦେଣ କରୁଥିବା ଏହି ଚଢାଉରୁ ସାମ୍ନାକୁ ଆସିଛି। ହାଓଲା ପରିଚାଳକ ଏବଂ ବଡବଡ କର୍ପୋରେଟ ମିଶି ଏହି ର଼୍ୟାକେଟ ଚଳାଇଥିବା ଆୟକର ବିଭାଗ ଜାଣିପାରିଛି ବୋଲି ସିବିଡିଟି ପ୍ରକାଶ କରିଛି। ସେହିଭଳି ଅନ୍ୟ ଏକ ମାମଲାରେ ଚେନ୍ନାଇର ଏକ ଶିକ୍ଷାପ୍ରତିଷ୍ଠାନରେ ଚଢାଉ ଦ୍ୱାରା ୩୫୦ କୋଟି ଟଙ୍କାର ଅଘୋଷିତ ଆୟ ଠାବ ହୋଇଥିବା ଜଣାପଡିଛି।

Share