୩୩୨ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି ଶେଷ: ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

ଲୋଇସିଂହା,୧୨ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବ୍ଲକକୁ ରାଜ୍ୟ ବାହାରୁ ୩୩୫ ଜଣ ଘରକୁ ଫେରିଛନ୍ତି। ସେମାନେ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ନ ଯାଇ ୧୪ ଦିନିଆ ହୋମ୍‌ କ୍ବାରାଣ୍ଟାଇନରେ ରହିଛନ୍ତି। ସେଥିମଧ୍ୟରୁ ୩୩୨ ଜଣଙ୍କ ହୋମ୍‌ କ୍ବାରାଣ୍ଟାଇନ ଅବଧି ସରିଯାଇଛି। ସ୍ବାସ୍ଥ୍ୟ କର୍ମଚାରୀ ଯାଞ୍ଚ ବେଳେ ସେମାନଙ୍କ ଠାରେ ଜ୍ୱର, କାଶ,କଫ, ଶ୍ବାସକ୍ରିୟାରେ କଷ୍ଟ ଆଦି କରୋନା ଜନିତ ସଂକ୍ରମଣ ଲକ୍ଷଣ ଦେଖିବାକୁ ପାଇ ନ ଥିଲେ। ସେମାନେ ସୁସ୍ଥ ରହିଛନ୍ତି। ନିନେ ଦୁଇଦିନ ମଧ୍ୟରେ ବାକି ୩ ଜଣଙ୍କ ମଧ୍ୟ ଅବଧି ସରିଯିବ ବୋଲି ପିଏଚ୍‌ଓ ରମେଶ ସାହୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ ସରକାରୀ ନିୟମକୁ ଅନୁପାଳନ କରି ଜିଲା ତଥା ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ଘରଙ୍କୁ ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ ଲୋକଙ୍କୁ କରୋନା ଭୂତାଣୁ ଉପରେ ସଚେତନତା କରୁଛନ୍ତି। ଡାକ୍ତରୀ ଦଳକୁ ନେଇ ଗଠିତ ଆର୍‌ଆରଟି ଟିମ୍‌ ଆଶ୍ୟକସ୍ଥଳେ କ୍ଷେତ୍ର ପରିଦର୍ଶନ କରି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ବୋଲି କହିଛନ୍ତି। ଏହାବ୍ୟତୀତ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ୭ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ସେଣ୍ଟର କରାଯାଇଥିବା ପ୍ରକାଶ କରିଛନ୍ତି।

Share