Categories: ଖେଳ

୩୫ଜଣଙ୍କୁ ହକି ଇଣ୍ଡିଆ ଲେଭଲ ‘୨’ କୋଚିଂ ସାର୍ଟିଫିକେଟ

ଭୁବନେଶ୍ୱର,୧୪।୬ (ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଟେକ୍‌ନିକାଲ ଅଫିସିଆଲ କୋର୍ସ ଓ ଏଫ୍‌ଆଇଏଚ୍‌ ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଅମ୍ପାୟରିଂ କୋର୍ସ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଏଫ୍‌ଆଇଏଚ୍‌ ଏକାଡେମୀ ଲେଭଲ୍‌ ୧ କୋଚିଂ କୋର୍ସ ମଧ୍ୟ ଚାଲୁ ରହିଛି। ଦି ହକି ଇଣ୍ଡିଆ ଫାେଉଣ୍ଡେଶନ କାର୍ଯକାରୀ ନିର୍ଦ୍ଦେଶକ ଓ ଏଫ୍‌ଆଇଏଚ୍‌ ଡେଭଲପମେଣ୍ଟ ଡାଇରେକ୍ଟର ମାଇକ୍‌ ଜୋଏସ ଏହି କୋର୍ସ ତଥା ପାଠ୍ୟକ୍ରମ ଦାୟିତ୍ୱରେ ରହିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ଚାଲିଥିବାରୁ ଏହି କୋର୍ସର ପ୍ରାସଙ୍ଗିକତା ରହିଛି। ଏହି ପାଠ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସଦସ୍ୟମାନେ ଆଧୁନିକ ହକି ସହ ତାଳ ଦେଇଚାଲିବା ସହ ବ୍ୟବହାରିକ ଜ୍ଞାନ ହାସଲ କରିପାରିବେ।
କଳିଙ୍ଗ ହକି ଷ୍ଟାଡିୟମର ମୁଖ୍ୟ ପିଚ୍‌ରେ ଗୁରୁବାର ଭାରତ, କେନିଆ, ଜାପାନ ଓ ନେଦରଲାଣ୍ଡ୍ସରୁ ୭ଜଣ ଏଫ୍‌ଆଇଏଚ୍‌ ଏକାଡେମୀ ଏଡୁକେଟର କୋର୍ସରେ ଅଂଶଗ୍ରହଣ କରି କିଛି ଘଣ୍ଟା ବିତାଇଥିଲେ। ଗୁରୁବାର ଟୁର୍ନାମେଣ୍ଟର ବିଶ୍ରାମ ଦିବସ ଥିଲା। ମାଇକ ଜୋଏସ ଏମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଅମ୍ପାୟର, ଟେକ୍‌ନିକାଲ ଅଫିସିଆଲ ଓ କୋଚ୍‌ଙ୍କ ଜ୍ଞାନ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏବଂ ଆଧୁନିକ ହକି ସହ ତାଳ ଦେଇ ଚାଲିବା ପାଇଁ ହକି ଇଣ୍ଡିଆ ଚେଷ୍ଟିତ ରହିଆସିଛି। ହକି ଖେଳୁଥିବା ସବୁ ଦେଶ ସହ ଏ ଦିଗରେ ଉନ୍ନତି ପାଇଁ ଏଫ୍‌ଆଇଏଚ୍‌ ମଧ୍ୟ କାର୍ଯ୍ୟକରୁଛି। କୋଚିଂ ଓ ଅମ୍ପାୟରିଂରେ ଉନ୍ନତି ପାଇଁ ହକି ଇଣ୍ଡିଆ ସହ ଏଫ୍‌ଆଇଏଚ୍‌ ଏକାଡେମୀ କାର୍ଯ୍ୟକରିବାକୁ ଆଗ୍ରହୀ ଓ ଏ ନେଇ ବେଶ୍‌ ଆନନ୍ଦିତ ବୋଲି ଜୋଏସ କହିଛନ୍ତି।
ଏଥିସହିତ ଗତ ମାସ ହକି ଇଣ୍ଡିଆ ଲେଭଲ-୨ କୋଚିଂ କୋର୍ସକୁ ସଫଳତାର ସହ ଶେଷ କରିଥିବା ୩୫ ଜଣ ହକି ଆଶାୟୀ କୋଚ୍‌ଙ୍କୁ ହକି ଇଣ୍ଡିଆ ଲେଭଲ-୨ କୋଚ୍‌ ସାର୍ଟିଫିକେଶନ ପ୍ରଦାନ କରାଯାଇଛି। ପୁଣି ହକି ଇଣ୍ଡିଆ କୋଚିଂ ଏଡୁକେଶନ ପାଥଓ୍ବେର ସଫଳ ହୋଇଥିବା ପ୍ରାର୍ଥୀମାନେ ଏଫ୍‌ଆଇଏଚ୍‌ ଏକାଡେମୀ ଲିଭେଲ-୧ କୋଚିଂ କୋର୍ସ ପାଇଁ ନିମନ୍ତ୍ରିତ ହେବେ।

Share