୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୩-୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ ଏକ କାରରୁ ପାଖାପାଖି ୩୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ମୋହନା ଅଞ୍ଚଳର ମାନୁଆଲ ମଣ୍ଡଳ, ଜାକବ ମାଝି, ମହେଶ ଗମାଙ୍ଗ, ସିନ୍ଧୁ ଗମାଙ୍ଗ ବୋଲି ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି॥ ପ୍ରକାଶ ଯେ, ଗୁରୁବାର ଭୋରରେ ବଡଗଡ ଥାନା ଅଞ୍ଚଳଦେଇ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଆକାଶନଗର ଅଞ୍ଚଳରେ ପୋଲିସ ବ୍ଲକିଂ କରି ଯାନବାହନ ଯାଞ୍ଚ ଚଳାଇଥିଲା। ଯାଞ୍ଚବେଳେ ଏକ ୪୦୭ ଟ୍ରକ୍‌ (ନଂ.ଓଆର୍‌୦୭ଟି-୦୧୨୫), ଏକ ପିକ୍‌ ଅପ୍‌ ଭ୍ୟାନ୍‌ (ନଂ.ଓଆର୍‌୦୭ଏନ୍‌-୦୮୪୯), କାର (ନଂ.ଓଡି୦୭ଓ୍ବାଇ-୪୧୦୦) ଓ ବୋଲେରୋ (ନଂ-ଓଡି୨୦-୫୮୩୪)ରୁ ବିପୁଳ ପରିମାଣର ଗଞ୍ଜେଇ ବସ୍ତା ମିଳିଥିଲା। ଜବତ ଗାଡିଗୁଡିକୁ ଥାନାକୁ ଆଣି ସେଥିରେ ଥିବା ଗଞ୍ଜେଇ ବସ୍ତାଗୁଡିକୁ ସୋରଡା ଅତିରିକ୍ତ ତହସିଲଦାର କୋରେଶୁ କୁମାର ଜାନିଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଓଜନ ପରେ ପାଖାପାଖି ୩୫ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା। ଏହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କହିଥିଲେ ଆସିକା ଏସ୍‌ଡିପିଓ ପ୍ରଧାନ। ନଂ.୧୯୬/୧୯ରେ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ କହିଛନ୍ତି।