ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୨୭ଟି ଗାଁର ସ୍ଥିତିବାନ ସମ୍ପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବା ଦାବି ଜୋର ଧରିଛି। ଆସନ୍ତା ୩୫ ଦିନ ମଧ୍ୟରେ ଏହି ଦାବି ପୂରଣ ନ ହେଲେ ଜାନୁୟାରୀ ୨୭ ତାରିଖରେ ୨୭ଟି ଗାଁର ଲୋକଙ୍କ ସହ ନବୀନ ନିବାସ ଘେରାଉ କରି ସମୂହ ଆତ୍ମାହୁତି ଦେବୁ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି। ସୂଚନାଯୋଗ୍ୟ, ୨୭ଟି ଗାଁ ଲୋକଙ୍କ ସ୍ଥିତିବାନ ସମ୍ପତ୍ତିକୁ ୨୦୧୨ରେ ରାଜ୍ୟ ସରକାର ଜଗନ୍ନାଥ ସମ୍ପତ୍ତି ଭାବେ ଦର୍ଶାଇଥିଲେ। ଏଣୁ ଗାଁ ଲୋକେ ନିଜ ଜମି ଥାଇ ବି କୌଣସି ନିର୍ମାଣ କାମ କରିପାରୁ ନାହାନ୍ତି। ଏପରି କି ଗାଁରେ କୌଣସି ପ୍ରକାର ସାମୂହିକ ଉନ୍ନୟନ ପ୍ରକଳ୍ପ ହୋଇପାରୁନାହିଁ। ଜନସାଧାରଣଙ୍କ ଅସୁବିଧାକୁ ବିଚାରକୁ ନେଇ ହାଇକୋର୍ଟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ଶିଥିଳ ଗତିରେ ଚାଲିଛି ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରରୁ ସମସ୍ତ ଅଳିଆ ଆବର୍ଜନା ଦାରୁଠେଙ୍ଗଠାରେ ଡମ୍ପିଂୟାର୍ଡରେ ପକାଇବା ଦ୍ୱାରା ସେଠାରେ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଥିବା ଜଟଣୀ ବିଧାୟକ କହିଛନ୍ତି।