୩୬ବର୍ଷ ପୂର୍ବର ଫିଲ୍ମ ବଲିଉଡ୍‌ର ମହାନାୟକଙ୍କୁ ଠେଲିଦେଇଥିଲା ମୃତ୍ୟୁମୁଖକୁ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। କାରଣ ଦୀର୍ଘ ୫୦ବର୍ଷରୁ ସେ ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବେଳେ ଘରେ ଘରେ ସେ ବେଶ୍‌ ପରିଚିତ। ଅମିତାଭ ନିଜ କାମକୁ ବେଶ୍‌ ପ୍ରାଧାନ୍ୟ ଦେଇଥାନ୍ତି। କାମକୁ ପୂରା କରିବା ପାଇଁ ନିଷ୍ଠାର ସହ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। ଆଉ ଏହି ପରିଶ୍ରମ ତାଙ୍କ ଫିଲ୍ମରେ ସ୍ପଷ୍ଟ ବାରିହୋଇପଡେ। ଆଜି ବି ତାଙ୍କ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିଛି। ନିଜ କ୍ୟାରିୟରରେ ଅମିତାଭ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେଥିମଧ୍ୟରୁ ତାଙ୍କର ଏଭଳି ଗୋଟିଏ ଫିଲ୍ମ ଅଛି, ଯାହା ତାଙ୍କୁ ସଫଳତାର ଦେଇଥିଲା ସତ, ହେଲେ ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା। ସେହି ଫିଲ୍ମ ହେଉଛି ‘କୁଲି’। ଫିଲ୍ମ କୁଲି ୧୯୮୩ ଡିସେମ୍ବର ୨ରେ ରିଲିଜ୍‌ ହୋଇଥିଲା। ସୋମବାର ଏହି ଫିଲ୍ମକୁ ୩୬ ବର୍ଷ ପୂରିଛି। ଏହି ଫିଲ୍ମର ଶୁଟିଂ ସମୟରେ ଏଭଳି ଏକ ଅଘଟଣ ଘଟିଥିଲା। ଯେଉଁଠି ତାଙ୍କର ଜୀବନ ଚାଲିଯିବାର ସମ୍ଭାବନା ଢ଼େର ଅଧିକ ରହିଥିଲା। ସୂଚନାମୁତାବକ ଶୁଟିଂ ସମୟରେ ଏକ ସିନ୍‌ରେ ଅମିତାଭଙ୍କ ସହ-କଳାକାର ପୁନୀତ ଇସର ତାଙ୍କୁ ପଞ୍ଚ ମାରିବାର ଥିଲା। ଏହି ପଞ୍ଚର ଶୁଟିଂ କରିବା ସମୟରେ ଅମିତାଭ ଆହତ ହୋଇପଡ଼ିଥିଲେ। ୧୯୮୨ ଜୁଲାଇ ୨୬ରେ ସେ ଗୁରୁତର ଆହତ ହେବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଏ, କିଛି ସମୟ ପାଇଁ ତାଙ୍କୁ କ୍ଲିନିକାଲି ଡେଡ୍‌ ବୋଲି ଘୋଷଣା କରାଯାଇଥିଲା। ସେତେବେଳେ ତାଙ୍କ ଜୀବନ ରକ୍ଷା ପାଇଁ ପ୍ରଶଂସକମାନେ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରିଥିଲେ। କାରଣ ଅମିତାଭଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ୨୦୦ ରକ୍ତଦାତା ୬୦ବୋତଲ ରକ୍ତ ଦେଇଥିଲେ। ହେଲେ ଏଥିମଧ୍ୟରୁ ଜଣେ ରକ୍ତଦାତାଙ୍କ ରକ୍ତ ସଂକ୍ରମିତ ଥିଲା। ଯେଉଁଥିରେ ହେପାଟାଇଟିସ୍‌-ବି ଭୂତାଣୁ ରହିଥିଲା। ୨୦୦୦ମସିହାରେ ହେପାଟାଇଟିସ୍‌-ବି ଭୂତାଣୁ ଯୋଗୁ ତାଙ୍କର ଲିଭର୍‌ ୭୫ ପ୍ରତିଶତ ଖରାପ୍‌ ହୋଇଯାଇଥିଲା। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ହାରମାନି ନାହାନ୍ତି ଏବଂ ଲଗାତାର ଭାବେ ନିଜ କାମ ଜାରି ରଖିଛନ୍ତି। ନିକଟରେ ଅମିତାଭ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ମନାଲିରେ ପହଞ୍ଚିଛନ୍ତି। ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ସେ ଫିଲ୍ମର ଶୁଟିଂ କରିଥିବା ଜଣାପଡ଼ିଛି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ବି ନଜର ଆସିବେ।

Share