୩୬୫ ଦିନ ଲକ୍‌ଡାଉନରେ ରୁହେ ଏହି ଗାଁ

ନଦୀୟା ,୧୧।୫: ଆଧୁନିକ ଯୁଗରେ ରହି ମଧ୍ୟ ଏଭଳି ଏକ ଗାଁ ଅଛି ଯେଉଁଠାରେ ବର୍ଷସାରା ଲକ୍‌ଡାଉନ ରହିଥାଏ। ଡରି ଡରି ରହୁଥିବା ଲୋକମାନେ ଘରୁ ଭୟରେ ବାହାରନ୍ତି ନାହିଁ। ଏଭଳିି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ନଦୀୟା ଜିଲାର ଦତ୍ତପୁଲିଆ ଝୋରପଡ଼ା ଗାଁରେ। ଏହି ଗାଁରେ ୩୫୦ ଲୋକ ରହୁଥିବା ବେଳେ ଆଜି ବି ସେମାନେ ଅନ୍ୟ ଉପରେ ନିର୍ଭରଶୀଳ। କାରଣ ଗୋଟିଏ ପଟେ ବାଂଲାଦେଶୀ ଅପରାଧୀଙ୍କ ନିର୍ଯାତନା ଅନ୍ୟପଟେ ବିଏସ୍‌ଏଫ୍‌ ସେନାଙ୍କ ଭୟରେ ଝୋରପଡ଼ା ଗାଁର ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଏଭଳି ସ୍ଥିତିରେ ଜୀବନ ବିତାଇବା ସେମାନଙ୍କ ପାଇଁ ବହୁ କଷ୍ଟକର ହୋଇପଡ଼ିଛି। ଏହି ଗାଁରେ ରହୁଥିବା ଲୋକଙ୍କ ପାଇଁ ସ୍ବାଧୀନତାର ଅର୍ଥ କିଛି ନ ଥିବା ବେଳେ ପର୍ବପର୍ବାଣୀର ହସ ଉଲ୍ଲାସ ମଧ୍ୟ ଏମାନେ କ’ଣ ଜାଣିନ୍ତି ନାହିଁ। ସାଧାରଣ ଭାବେ କହିବାକୁ ଗଲେ ବର୍ଷ ସାରା ୩୬୫ ଦିନ ଏହି ଗାଁର ଲୋକମାନେ ଲକ୍‌ଡାଉନ ଜୀବନ ବିତାଉଛନ୍ତି। ପ୍ରତିଦିନ ଏକ ନିଦ୍ଧିଷ୍ଟ ସମୟରେ ଲୋକମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ବାକି ସମୟ ସେଠାରେ କର୍ଫ୍ୟୁ ବଳବତ୍ତର ରହିଥାଏ। କେବଳ ସେତିକି ନୁହେଁ ବର୍ତ୍ତମାନ ଯୁଗରେ ସେମାନଙ୍କ ପାଖରେ ଇଣ୍ଟରନେଟ ସେବା ପହଞ୍ଚିପାରିନି। ଦେଶ ଦୁନିଆ ବିଷୟରେ ଜାଣିବାକୁ ହେଲେ ସେମାନଙ୍କ ପାଖରେ ଏକମାତ୍ର ଟିଭି ହିଁ ସାହା ଭରଷା। ଅପରପକ୍ଷେ ଯେଉଁଠାରେ କରୋନା ମହାବିପତ୍ତି ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି, ସେଠାରେ ଏହି ଲୋକଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। କାରଣ ସେମାନେ ଦୀର୍ଘ ଦିନ ଧରି ଏହି ସମାନ ଜୀବନ ବିତାଇ ଆସୁଛନ୍ତି।

Share