Categories: ମେଟ୍ରୋ

୩୬ ଅମୃତ ପାର୍କର ନିର୍ମାଣ, ନବୀକରଣ ଶେଷ

ଭୁବନେଶ୍ୱର,୯।୩(ବ୍ୟୁରୋ): ମନ୍ଦିରମାଳିନୀ ଭୁବନେଶ୍ୱରକୁ ଅଧିକ ବାସପଯୋଗୀ ଓ ଶିଶୁବନ୍ଧୁ ସହର ଭାବେ ଗଢି ତୋଳିବାର ପ୍ରୟାସ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅମୃତ ଯୋଜନାକୁ ଅଗ୍ରାଧିକାର ଦେଇଛି। ଏହ ଯୋଜନା ଅଧୀନରେ ସହରର ବିଭିନ୍ନ ପ୍ରାନ୍ତରରେ ୩୬ ପାର୍କର ନିର୍ମାଣ ଓ ନବୀକରଣ କରାଯାଇଛି। ପାର୍କଗୁଡ଼ିକ ବିଭିନ୍ନ କଲୋନୀ ମଧ୍ୟରେ ଅବସ୍ଥିତ ଥିବାବେଳେ ଏଗୁଡ଼ିକୁ ଶିଶୁସୁଲଭ କରାଯାଇଛି। ପ୍ରତି ପାର୍କରେ ଶିଶୁ ଉଦ୍ୟାନ, ଶିଶୁଙ୍କ ପାଇଁ ଦୋଳି ଏବଂ ଅନ୍ୟାନ୍ୟ ଖେଳ ଉପକରଣ ସ୍ଥାପନ ସହ ଖୋଲା ଆକାଶ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସାଙ୍ଗକୁୁ ଆଲୋକୀକରଣ ଓ ଶୌଚାଳୟ ବ୍ୟବସ୍ଥା ସମସ୍ତ ପାର୍କକୁ ଲୋକାଭିମୁଖି କରାଇପାରିଛି ବୋଲି ବିଏମ୍‌ସି ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୫-୧୬ ଆର୍ଥିକ ବର୍ଷରେ ୪ ପାର୍କ, ୨୦୧୬-୧୭ରେ ୧୭ ପାର୍କ, ୨୦୧୭-୧୮ରେ ୧୨ଟି ପାର୍କର ନିର୍ମାଣ ଓ ନବୀକରଣ କରାଯାଇଛି। ଏସବୁ ପାର୍କ ମଧ୍ୟରୁ ୫୦ ପ୍ରତିଶତ ପାର୍କକୁ ଗୋଷ୍ଠୀ ପରିଚାଳନା ପାଇଁ ଆବାସିକ କଲ୍ୟାଣ ସଂଘ ଓ ୟୁଥ୍‌ କ୍ଲବ୍‌କୁ ହସ୍ତାନ୍ତର କରାଯାଇଛି। ଫଳରେ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣ ଅଧିକ ସୁରକ୍ଷିତ ହେବ ବୋଲି ବିଏମ୍‌ସି ଆଶାପୋଷଣ କରିଛି। ପାର୍କର ସମୁଦାୟ ଖର୍ଚ୍ଚ ୧୦ କୋଟିରୁ ଅଧିକ ହୋଇଥିବାବେଳେ ଏହାର ପିଚାଳନା ଭାର ନେଇଥିବା ସଂସ୍ଥାଗୁଡ଼ିକୁ ମାସିକ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ଏହି ଖର୍ଚ୍ଚମଧ୍ୟରେ ଆଲୋକୀକରଣ, ବୃକ୍ଷରୋପଣ, ଜଳଯୋଗାଣ, ଜଳସିଞ୍ଚନ ଓ ପରିମଳ ଆଦି ଅନ୍ତର୍ଭୁକ୍ତ କରାଯାଇଛି। ପାର୍କର ମୁଖ୍ୟ ନିର୍ମାଣ ଓ ନବୀକରଣ କେବଳ ବିଏମ୍‌ସି ଦ୍ୱାରା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବାତ୍ୟା ଫନି ପରେ ବୃକ୍ଷରୋପଣ କରାଯାଇ ଆବଶ୍ୟକ ନିର୍ମାଣ ଓ ମରାମତି ପରେ ପାର୍କଗୁଡ଼ିକ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଭୁବନେଶ୍ୱର ଏକ ଶିଶୁବନ୍ଧୁ ସହର ଭାବେ ପରିଗଣିତ ହୋଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

Share