Categories: ଜାତୀୟ

୩୬ ବର୍ଷରେ ୭ ବଡ଼ ଦଙ୍ଗାରେ ୭,୫୦୦ରୁ ଅଧିକ ନିରୀହଙ୍କ ମୁଣ୍ଡ ଗଡ଼ିଛି: କେବଳ ନ୍ୟାୟିକ ଯାଞ୍ଚ୍‌ ସହ ଶୁଣାଣି ରହିଛି ଜାରି

ନୂଆଦିଲ୍ଲୀ,୧।୩: ଦେଶ ବିଭାଜନ ପରେ ଦଙ୍ଗାରେ ବହୁ ଧନଜୀବନ ହାନି ହୋଇଥିଲା। ପରବର୍ତ୍ତୀ ସମୟରେ ଏଭଳି ଘଟଣା ଘଟିବା କମ ହୋଇଥିଲା। ୧୯୮୪ଠାରୁ ଗତ ୩୬ ବର୍ଷ ମଧ୍ୟରେ ଦେଶରେ ୭ ଥର ବଡ଼ ଧରଣର ଦଙ୍ଗା ଘଟିଛି। ଏଥିରେ ୭,୫୯୬ ନିରୀହଙ୍କ ମୁଣ୍ଡ ଗଡ଼ିଛି। ତେବେ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କେବଳ ନ୍ୟାୟିକ ଯାଞ୍ଚ୍‌ ସହିତ ଶୁଣାଣି ଜାରି ରହିଛି। ନିକଟରେ ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ମାତ୍ର ୪ ଦିନରେ ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ଦଙ୍ଗା ପୂର୍ବରୁ ୬ ଥର ମଧ୍ୟ ଘଟିଛି। ୧୯୮୪ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗାରେ ୩,୩୨୫ ଜଣ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେହିପରି ୧୯୮୯ ଅକ୍ଟୋବରରେ ଭାଗଲପୁରରେ ହୋଇଥିବା ଦଙ୍ଗାରେ ୧୦୦୦ ଲୋକଙ୍କ ଜୀବନ ଯାଇଥିଲା। ୧୯୯୨ରେ ବାବରୀ ମସଜିଦ୍‌ ଭଙ୍ଗା ଘଟଣା ପରେ ହୋଇଥିବା ଦଙ୍ଗାରେ ୨୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୨ରେ ଗୁଜରାଟରେ ହୋଇଥିବା ଦଙ୍ଗାରେ ୧,୧୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ୨୦୧୨ରେ ଆସାମର କୋକରଝାରାରେ ବୋଡ଼ା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାରେ ୮୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷରେ ୨୦୧୩ରେ ମୁଜଫରନଗରରେ ହୋଇଥିବା ଦଙ୍ଗାରେ ୪୮ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏସବୁ ଦଙ୍ଗାରେ ମୃତକଙ୍କ ସଂଖ୍ୟା ତୁଳନାରେ ପୀଡ଼ିତଙ୍କ ସଂଖ୍ୟା ୧୦ ଗୁଣା ଅଧିକ ରହିଛି। ଦଙ୍ଗାର ଭିନ୍ନ ଭିନ୍ନ କାରଣ ରହିଥିଲେ ମଧ୍ୟ ରାଜନୈତିକ ମନ୍ତବ୍ୟ ଏବଂ ଧାର୍ମିକ ଅସହିଷ୍ଣୁତା ଏସବୁର ମୁଖ୍ୟ କାରଣ ବୋଲି କୁହାଯାଉଛି।

Share