୩୭ଥର ବାହାରଯାତ୍ରା କରନ୍ତି ଶ୍ରୀଦେବୀ ଓ ଭୂଦେବୀ

ଶ୍ରୀମନ୍ଦିର ରତ୍ନବେଦୀରେ ଉପାସିତ ହେଉଛନ୍ତି ଶ୍ରୀଦେବୀ ଓ ଭୂଦେବୀ। ଶ୍ରୀଜଗନ୍ନାଥଙ୍କ ଉପାସନାରେ ତାଙ୍କର ଭୂମିକା ଗୁରୁତ୍ୱଲାଭ କରିଛି। ମହାପ୍ରଭୁଙ୍କ ବାମପଟେ ଶ୍ରୀଦେବୀ ଓ ଡାହାଣପଟେ ଭୂଦେବୀ ବିଜେ କରିଛନ୍ତି। ରତ୍ନସିଂହାସନରେ ବିଜେ କରିଥିବା ଶ୍ରୀମାଧବ ଶାରଦୀୟ ଦୁର୍ଗାପୂଜା ଅବସରରେ ମହାପ୍ରଭୁଙ୍କ ଅନୁମତି (ଆଜ୍ଞାମାଳ) ନେଇ ରତ୍ନବେଦୀ ଛାଡ଼ିଥାନ୍ତି। ସେହିପରି ଶ୍ରୀଦେବୀ ଓ ଭୂଦେବୀ ମହାପ୍ରଭୁଙ୍କ ଅନୁମତି ନେଇ ୩୭ଥର ରତ୍ନବେଦୀ ଛାଡ଼ନ୍ତି। ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିଲାବେଳେ ଅର୍ଥାତ୍‌ ବାହାର ବିଜେ କଲାବେଳେ ବିନା ଅନୁମତିରେ ଶ୍ରୀଦେବୀ ଦୁଇଥର ରତ୍ନବେଦୀ ଛାଡି ବାହାରକୁ ବାହାରିଥାନ୍ତି।
୍ଯ ସମୟରେ ୨୧ଦିନ ଧରି ଶ୍ରୀଦେବୀ ଓ ଭୂଦେବୀ ଚନ୍ଦନ ପୋଖରୀକୁ ମଣି ବିମାନରେ ଯାତ୍ରା କରିଥାନ୍ତି। ସରସ୍ବତୀ ପୂଜାଦିନ ଆଜ୍ଞାମାଳ ପାଇବା ପରେ ଶ୍ରୀଦୋଳଗୋବିନ୍ଦଙ୍କ ସହିତ ଜଗନ୍ନାଥବଲ୍ଲଭ ମଠକୁ ଶ୍ରୀଦେବୀ ବିଜେ କରିଥାନ୍ତି। ସେଇଠି ଫଗୁଖେଳ ନୀତିରେ ସେ ସାମିଲ ହୁଅନ୍ତି। ଫଗୁ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ୪ଦିନ ଏହି ମଠକୁ ବିଜେ କରି ଚାଚେରି ଲୀଳା କରିଥାନ୍ତି। ଚୈତ୍ର ମାସ ପ୍ରତିପଦା ତିଥିରେ ମହାପ୍ରଭୁଙ୍କର ଅନ୍ୟତମ ପ୍ରତିନିଧି ଶ୍ରୀମଦନମୋହନଙ୍କ ସହିତ ବେଣ୍ଟ ଯାତ୍ରା କରିବା ପାଇଁ ନରେନ୍ଦ୍ର ପୋଖରୀକୁ ବିଜେ କରିଥାନ୍ତି। ଝୁଲଣ ଯାତ୍ରାବେଳେ ଝୁଲଣ ମୁଣ୍ଡି(ମଣ୍ଡପ)କୁ ୭ଦିନ ଧରି ଶ୍ରୀମଦନମୋହନଙ୍କ ସହ ବିଜେ କରନ୍ତି। ବ୍ରହ୍ମାସନ କୁହାଯାଉଥିବା ମୁକ୍ତିମଣ୍ଡପ ସ୍ଥାନଟି ଝୁଲଣବେଳେ ଝୁଲଣ ମଣ୍ଡପ ରୂପେ ବ୍ୟବହୃତ ହୋଇଥାଏ। ମାର୍ଗଶୀର ମାସ ଅମାବାସ୍ୟା ଶ୍ରୀମନ୍ଦିରରେ ଦେବ ଦୀପାବଳି ଭାବେ ପ୍ରସିଦ୍ଧ। ଏହା ତିନିଦିନ ଧରି ପାଳିତ ହୁଏ। ଶେଷଦିନ ଶ୍ରୀମଦନମୋହନଙ୍କ ସହିତ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରି ଜଗତ ମଙ୍ଗଳ ପାଇଁ କେତେକ ଲୀଳା କରିଥାନ୍ତି। ଏଥିମଧ୍ୟରେ ଜୀବିତ ଓ ମୃତ ମଣିଷଙ୍କ ମୁକ୍ତି ପାଇବାର ରହସ୍ୟ ଜଡ଼ିତ ଅଛି।