୩୭୭ ଧର୍ମଗୁରୁଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେଲେ ଯୋଗୀ

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ରବିବାର ଯୋଗୀ ଆଦିତ୍ୟନାଥ ରାଜ୍ୟର ୩୭୭ ଧର୍ମଗୁରୁଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥାବାର୍ତ୍ତା ହୋଇଛନ୍ତି। ଉତ୍ତରପ୍ରଦେଶର ଇତିହାସରେ ଏହା ପ୍ରଥମଥର ଯେଉଁଠାରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲାର ଧର୍ମଗୁରୁଙ୍କ ସହ ଏକାସାଙ୍ଗରେ କଥା ହୋଇଛନ୍ତି। ଏହାର ମୂଳ ଲକ୍ଷ୍ୟ ହେଉଛି କରୋନା ବିରୋଧରେ ଲଢ଼େଇରେ ଲୋକମାନଙ୍କ ଉପରେ ଧର୍ମଗୁରୁଙ୍କର ପ୍ରଭାବ ପକାଇବା। ସୂଚନାଯୋଗ୍ୟ, ଖୁବ୍‌ଶୀଘ୍ର ଉତ୍ତରପ୍ରଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ପ୍ରତ୍ୟାହାର କରାଯିବ। ତେବେ ଲକ୍‌ଡାଉନ୍‌ ପ୍ରତ୍ୟାହାର କରିବାର ମାନେ ନୁହେଁ ଯେ, ପରିସ୍ଥିତି ସାମାନ୍ୟ ହୋଇଯାଇଛି। ତେଣୁ ଧର୍ମଗୁରୁମାନେ ନିଜ ସହରର ଲୋକଙ୍କୁ ଏନେଇ ବୁଝାଇବା ପାଇଁ ଯୋଗୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ପ୍ରତ୍ୟାହାର ପରେ ବି ଲୋକମାନେ ସତର୍କତା ଅବଲମ୍ବନ କରିବା ସହ ଯେତେ ସମ୍ଭବ ଘରୁ ନ ବାହାରି ପାଇଁ ଧର୍ମଗୁରୁମାନେ ସୋମାନଙ୍କୁ ବୁଝାଇବେ। ତେଣୁ ଘରୁ ନ ବାହାରି ନିଜେ ସୁରକ୍ଷିତ ରୁହନ୍ତୁ ଓ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ଯୋଗୀ ଆଦିତ୍ୟନାଥ ଏହି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲୋକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।

Share