୩୭ ସୀମାନ୍ତ ରାସ୍ତା ଉପରେ କଡ଼ା ନଜର

ଭୋଗରାଇ,୨୫।୪(ଡି.ଏନ.ଏ.)- ଓଡ଼ିଶାର କରୋନା ସଂକ୍ରମିତ ସଂଖ୍ୟା ଏକ ତୃତୀୟାଂଶ ପଶ୍ଚିମବଙ୍ଗରୁ ଲିଙ୍କ ହୋଇଥିବାର ପ୍ରକାଶ ପରେ ଗତ ଗୁରୁବାର ରାତି ୧୦ଟାରୁ ବାଲେଶ୍ୱର ଜିଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲାରେ ଅଦ୍ୟାବଧି ୧୦ ଜଣଙ୍କୁ କରୋନା ପଜିଟିଭ୍‌ ବାହାରି ଥିବାରୁ ପଶ୍ଚିମବଙ୍ଗ ସୀମାନ୍ତକୁ ସିଲ୍‌ କରାଯାଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗିଥିବା ଜଳେଶ୍ୱର ଓ ଭୋଗରାଇର ଅଞ୍ଚଳର ୮୪ଟି ଗାଁର ୩୭ଟି ଛୋଟବଡ଼ ରାସ୍ତାକୁ ପ୍ରଶାସନ ଓ ପୋଲିସ ପକ୍ଷରୁ ସିଲ୍‌ କରାଯାଇ ତୀକ୍ଷ୍‌ଣ ନଜର ରଖାଯାଇଛି। ପଶ୍ଚିମବଙ୍ଗରୁ ଓଡ଼ିଶା ମଧ୍ୟକୁ ଲୋକେ ଯେପରି ପଶି ନ ଆସିପାରନ୍ତି ସେଥିପାଇଁ ସୀମାନ୍ତ ଗାଁ କମିଟି ମଧ୍ୟ ବାଉଁଶବାଡ଼ ଓ ତାର ଖଞ୍ଜି ରାସ୍ତା ଅବରୋଧ କରିଛନ୍ତି।
ସୀମାନ୍ତବାସୀ ପରସ୍ପର ଦୁଇ ରାଜ୍ୟର ସଂସ୍କୃତିଗତ ଭାବଧାରା ବାଣିଜ୍ୟ-ବ୍ୟବସାୟ ଓ ବନ୍ଧୁବାନ୍ଧବ ସମ୍ପର୍କ ସୀମା ସିଲ୍‌ ଯୋଗୁ ବିଗିଡ଼ିବାରେ ଲାଗିଛି। ବାଲେଶ୍ୱର ସଂକ୍ରମିତ ସଂଖ୍ୟା ସମ୍ପର୍କୀୟମାନେ ଅଧିକାଂଶ ପଶ୍ଚିମବଙ୍ଗ ସହିତ ଲିଙ୍କ ଥିବାରୁ ପ୍ରଶାସନକୁ ଏଭଳି କଡ଼ା ପଦକ୍ଷେପ ନେବାକୁ ପଡ଼ିଛି। ତେବେ ସଟ୍‌ଡାଉନ୍‌ର ପ୍ରଥମଦିନରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ଅଞ୍ଚଳର ଲୋକେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗୁରୁବାର ରାତି ୯ଟା ପରେ ସଟ୍‌ଡାଉନ୍‌ ପୋଲିସ ପକ୍ଷରୁ ହଠାତ୍‌ ଘୋଷଣା ପରେ ଶୁକ୍ରବାର ଖାଦ୍ୟ ଓ ପନିପରିବା କିଣି ନ ପାରି ଲୋକେ ଘରେ ଏକପ୍ରକାର ବନ୍ଦୀ ଜୀବନ କାଟିଛନ୍ତି। ବହୁ ବ୍ୟକ୍ତି ସଉଦା କିମ୍ବା ପନିପରିବା କିଣି ନପାରି ଭୋକିଲା ରହି ଦିନ ଗଣୁଛନ୍ତି।