Categories: ବାଣିଜ୍ୟ

୩୭ ହଜାର ନିକଟତର ସୁନା,ରୁପା ୪୩ ହଜାର ଟପିଲା

ନୂଆଦିଲ୍ଲୀ,୬-୮: ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଅଧିକ ଘନୀଭୂତ ହେବାକୁ ଯାଉଥିବା ବେଳେ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ୦.୨୫% ହ୍ରାସ କରିବା କାରଣରୁ ନିବେଶକମାନେ ସୁନା ଓ ରୁପାରେ ନିବେଶ ବୃଦ୍ଧି କରିବାକୁ ଶ୍ରେୟସ୍କର ମଣିଛନ୍ତି। ଫଳରେ ସୋମବାର ସୁନା ୮୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ୍‌ ୩୭ ହଜାର ଟଙ୍କାର ନିକଟବର୍ତ୍ତୀ ହୋଇ ୩୬,୯୭୦ ଟଙ୍କାରେ ବନ୍ଦ ହୋଇଛି। ସେହିପରି ଔଦ୍ୟୋଗିକ ସଂସ୍ଥା, ମୁଦ୍ରା ନିର୍ମାତାଙ୍କ ଚାହିଦା ବୃଦ୍ଧି କାରଣରୁ ରୁପା କେଜି ପ୍ରତି ୧୦୦୦ ଟଙ୍କା ବୃଦ୍ଧି ପାଇ ୪୩,୧୦୦ ଟଙ୍କାରେ ବନ୍ଦ ହୋଇଛି। ମେ ୨୦୧୩ ପରେ ଦେଶରେ ସୁନା ମୂଲ୍ୟ ସର୍ବାଧିକ ସ୍ତରରେ ପହଞ୍ଚତ୍ଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏହାଛଡ଼ା ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଦୁର୍ବଳ ହେବା ମଧ୍ୟ ନିବେଶକଙ୍କୁ ସୁନାରେ ନିବେଶ ପ୍ରତି ଆଗ୍ରହ ସୃଷ୍ଟି କରିଛି ବୋଲି ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନ ଭାଇସ୍‌ ପ୍ରେସିଡେଣ୍ଟ ସୁରେନ୍ଦ୍ର ଜୈନ ପ୍ରକାଶ କରିଛନ୍ତି। ବିଶ୍ୱ ବଜାରରେ ସୁନା ପ୍ରତି ଆଉନ୍ସ ୧.୧୩% ବୃଦ୍ଧି ପାଇ ୧,୪୫୭.୩୦ ଡଲାରରେ କାରବାର ହୋଇଥିବା ବେଳେ ରୁପା ୧.୫୧ ପ୍ରତିଶତ ବଢ଼ି ପ୍ରତି ଆଉନ୍ସ ୧୬.୫୩ ଡଲାର ହୋଇଛି।

Share