୩୯ କେଜି ଅଫିମ ଚୋପା ଜବତ: ମା’ ସହ ୨ ଝିଅ ଓ ଅଟୋ ଡ୍ରାଇଭର ଗିରଫ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)/ପାତ୍ରପଡା (ଡି.ଏନ.ଏ.): ଖଣ୍ଡଗିରି ଥାନା ବରମୁଣ୍ଡା ଛକ ନିକଟରେ ଅଫିମ ଚୋପା ଚୋରା ଚାଲାଣବେଳେ ୪ଜଣ ବେପାରୀ ଧରାପଡିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲାର ବୋଲଗଡ ଅଞ୍ଚଳର ବୃଦ୍ଧି ଗିରି(୭୫), ତାଙ୍କ ଦୁଇ ଝିଅ ପୁରୀ କୁମ୍ଭାରପଡା ବାସନ୍ତି ଦାଶ(୫୦), ଓଲଟପୁରର ଲିଲି ସାହୁ(୩୫) ଓ ଡ୍ରାଇଭର ନିଆଳିର ତପନ କୁମାର ତ୍ରିପାଠି(୩୫)। ପୋଲିସ ସେମାନଙ୍କଠାରୁ ୩୯କେଜିର ଅଫିମ ଚୋପା ଓ ଏକ ଅଟୋକୁ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କା ହେବ। ସେମାନଙ୍କ ବିରୋଧରେ ନଂ.୫୭୯/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ମହିଳା ବୃଦ୍ଧି ତାଙ୍କ ଦୁଇ ଝିଅ ବାସନ୍ତି ଓ ଲିଲିଙ୍କୁ ନେଇ ଦୀର୍ଘଦିନ ହେବ ଅଫିମ ଚୋପା ବ୍ୟବସାୟ କରନ୍ତି। ସେମାନେ ନିୟମିତଭାବେ କଲିକତାରୁ ଅଫିମ ଚୋପା ଆଣି ବୋଲଗଡକୁ ଚୋରାରେ ଚାଲାଣ କରନ୍ତି। ସବୁଦିନ ଭଳିି ବୁଧବାର ସେମାନେ କଲିକତା ବସ୍‌ରେ ଅଫିମ ଚୋପା ଆଣି ବରମୁଣ୍ଡାରେ ଓହ୍ଲାଇଥିଲେ। ସେଠାରୁ ଏକ ଅଟୋ କରି ବୋଲଗଡ ନେବାକୁ ବାହାରିଥିଲେ। ହେଲେ ବରମୁଣ୍ଡା ଛକ ଟାଟାମୋଟର୍ସ ଓ୍ବାର୍କଶପ ନିକଟରେ କୌଣସିସୂତ୍ରରୁ ଖବରପାଇ ପୋଲିସ ଚଢାଉ କରି ଅଟୋକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ପରେ ସେଥିରୁ ୩୯ କେଜିର ଅଫିମ ଚୋପା ବାହାରିଥିଲା।

Share