୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେରୁ ଦିଲ୍ଲୀ ହସ୍ପିଟାଲରେ ପ୍ରତିରୋପଣ ପାଇଁ ପହଞ୍ଚିଲା ହୃଦୟ: ମହିଳାଙ୍କୁ ମିଳିଲା ନୂଆ ଜୀବନ

ନୂଆଦିଲ୍ଲୀ,୧୯।୨: ମାତ୍ର ୩ ଘଣ୍ଟାରେ ୧୪୦୦ କିମି ଅତିକ୍ରମ କରି ପୁଣେର ରୁବି ହଲ୍‌ କ୍ଲିନିକ୍‌ରୁ ଦିଲ୍ଲୀର ଫୋର୍ଟିସ୍‌ ହସ୍ପିଟାଲରେ ପ୍ରତିରୋପଣ ପାଇଁ ହୃଦୟ ପହଞ୍ଚିଛି। ଏହାପରେ ଡାକ୍ତରୀ ଦଳଙ୍କ ଦ୍ୱାରା ଏହାକୁ ୩୪ ବର୍ଷ ବୟସ୍କା ଜଣେ ମହିଳାଙ୍କଠାରେ ସଫଳତାର ସହିତ ପ୍ରତିରୋପଣ କରାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ୩୦ରେ ପୁଣେର ରୁବି ହଲ୍‌ କ୍ଲିନିକ୍‌ରେ ଜଣେ ୪୭ ବର୍ଷ ବୟସ୍କ ରୋଗୀଙ୍କ ବ୍ରେନ୍‌ ଡେଡ୍‌ ହୋଇଥିଲା। ତାଙ୍କର ହୃଦୟକୁ ଦିଲ୍ଲୀର ଫୋର୍ଟିସ୍‌ ହସ୍ପିଟାଲକୁ ପ୍ରତିରୋପଣ ପାଇଁ ଅଣାଯାଇଥିଲା। ଅପରାହ୍ନ ୫ଟା ୪୦ରେ ଏହା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା। ପୋଲିସପକ୍ଷରୁ ବିମାନବନ୍ଦର ଠାରୁ ଦିଲ୍ଲୀର ଫୋର୍ଟିସ୍‌ ହସ୍ପିଟାଲ ପର୍ଯ୍ୟନ୍ତ ୧୮.୪ କିମି ରାସ୍ତାକୁ ଗ୍ରୀନ୍‌ କରିଡୋରରେ ପରିଣତ କରାଯାଇଥିଲା। ବିମାନ ବନ୍ଦରରୁ ହସ୍ପିଟାଲରେ ପହଞ୍ଚିବା ପାଇଁ ୨୧ ମିନିଟ୍‌ ୨୦ ସେକେଣ୍ଡ ସମୟ ଲାଗିଥିଲା ବୋଲି ଦିଲ୍ଲୀର ଫୋର୍ଟିସ୍‌ ହସ୍ପିଟାଲର ବରିଷ୍ଠ ଡାକ୍ତର ଜେ.ଏସ୍‌. ମେହରଓ୍ବାଲ ସୂଚନା ଦେଇଛନ୍ତି।

Share