କଣିହାଁ, ୨୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ୩ ଘଣ୍ଟା ଧରି ଏନ୍ଟିପିସି ପ୍ରକଳ୍ପରୁ ପ୍ରବଳ ମାତ୍ରାରେ ପାଉଁଶ ଉଡିଥିଲା। ଏଥିଯୋଗୁ ରାସ୍ତାରେ ଯାଉଥିବା ଲୋକେ ଅସୁବିଧା ଭୋଗିବା ସହ ମଶୁଣିହତା, ବଡହୀରା, ଡେରେଙ୍ଗ, ଭୂଇଁପୁର, କଣିହାଁ, ଟାକୁଆ, ବାଲିପଟା ଆଦି ୧୦ରୁ ଊର୍ଦ୍ଧ୍ୱ ଗ୍ରାମରେ ପାଉଁଶ ଉଡିବାରୁ ଗ୍ରାମବାସୀ ହଇରାଣ ହୋଇଥିଲେ। ସେହିପରି ଏମ୍ସିଏଲର କଣିହାଁ ଓସିପିରୁ କୋଇଲାଗୁଣ୍ଡ ଉଡିବାରୁ ଜରଡ଼ା, କଂସମୁଣ୍ଡା, ତେଲିସିଂହା ଆଦି ଅନେକ ଗ୍ରାମରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ବନ୍ଧ ନିର୍ମାଣରେ ବ୍ୟବହୃତ ପାଉଁଶ ଘୋଡା ନ ଯିବା, ରାସ୍ତାରେ ପାଣି ସିଞ୍ଚନ କରା ନ ଯିବାରୁ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାର ସମାଧାନ ନ ହେଲେ ଖରାରେ ହନ୍ତସନ୍ତ ହେଉଥିବା ଅଞ୍ଚଳବାସୀ ପ୍ରଦୂଷଣ ସମସ୍ୟାରେ ଘାଣ୍ଟିହେବେ। ଏଥିପ୍ରତି ପ୍ରଦୂଷଣ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ନରେଶ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୀଳମଣି ସାହୁ ପ୍ରମୁଖ ଦାବି କରିଛନ୍ତି।