Categories: ଗଞ୍ଜାମ

୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ ଓ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଦୁର୍ଗା ନାଇକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ନିରକାରଙ୍କ ପିଉସୀ ମଧୁର ନାଇକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଦଣ୍ଡିତ ହୋଇଥିବା ୩ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି।
ପ୍ରକାଶ ଯେ, ଗାନ୍ଧୀନଗର ମୁଖ୍ୟ ରାସ୍ତା ହୋଟେଲ ମୋତି ସମ୍ମୁଖରେ ରହୁଥିବା ବୁଲୁ ନାଇକଙ୍କ ସହ ଝିଅ ମାମି ୨୦୧୪, ମେ ୧୦ ତାରିଖରେ ବିବାହ କରିଥିଲେ। ୧୧ ତାରିଖରେ ସେ ଶାଶୁ ଘରକୁ ଯାଇଥାନ୍ତେ। ହେଲେ ୧୦ ତାରିଖ ବିଳମ୍ବିତ ରାତିରେ ମାମି ଘରୁ ଫେରାର ହୋଇଯାଇଥିଲେ। ଘର ଲୋକେ ଖୋଜାଖୋଜି କରି ଶେଷରେ ସେ ହଳଦିଆପଦରରେ ଜଣେ ଯୁବକଙ୍କ ପାଖରେ ଥିବା ଭାଇ ନିରାକାର ଜାଣିବାକୁ ପାଇଥିଲେ। ସେଠାରେ ନିରାକାର, ତାଙ୍କ ଭାଇ ଓ ସମ୍ପର୍କୀୟ ଭାଇ ଓ ପିଉସୀ ପହଞ୍ଚତ୍ ମାମିଙ୍କୁ ଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ୨୦୧୪ ମଇ ୧୧ ତାରିଖରେ ମାମି ଓ ତାଙ୍କ ପ୍ରେମିକ ଅମର ନାଇକଙ୍କୁ ମାମିଙ୍କ ୨ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିଲେ। ଗୋଳନ୍ଥରା ପୋଲିସ ମାମି ଓ ତାଙ୍କ ପ୍ରେମିକଙ୍କ ମୃତଦେହ ଜବତ କରିଥିଲା। ମୃତ ଅମରଙ୍କ ମା’ ସଂଯୁକ୍ତା ନାଇକଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୬୪/୧୪ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ପରେ ଉପରୋକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶନିବାର ଏହି ମାମଲାର ବିଚାର ବେଳେ ୨୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ମୃତ ମାମିଙ୍କ ୨ ଭାଇଙ୍କ ସମେତ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ପ୍ରମାଣ ଅଭାବରୁ ପିଉସୀ ମାଧୁରୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୁରେଶ ଗୌଡ଼ ମକଦ୍ଦମା ପରିଚାଳନା କରିଥିଲେ।