୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ: ୧୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନ

ସୋହେଲା,୪।୪(ଡି.ଏନ.ଏ.)- ବରଗଡ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଦଶ ମାଇଲ ଛକରେ କେତେକ ନିଜାମୁଦ୍ଦିନ ଫେରନ୍ତା ଆସି ରହୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପଦ୍ମପୁର ଉପ ଜିଲାପାଳ ତନ୍ମୟ ଦରୁଆନଙ୍କ ନେତୃତ୍ୱରେ ସୋହେଲା ଥାନା ଆଇଆଇସି ନିର୍ମଳ ମହାପାତ୍ର,ବରଗଡ ଓ ସୋହେଲା ଡାକ୍ତରୀଦଳ ଦଶମାଇଲ ଛକରେ ବହୁ ବର୍ଷ ହେଲା ମାଂସ ବେପାର କରି ପରିବାର ପୋଷଣ କରୁଥିବା ଏକ ଘରେ ଚଢ଼ାଉ କରିଥିଲେ । ଗୃହକର୍ତ୍ତା ତାଙ୍କ ଘରେ କେତେ ଜଣ ଆସି ରହୁଛନ୍ତି ବୋଲି ଅଧିକାରୀମାନେ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଅଧିକାରୀମାନେ ଘର ତଲାସୀ କରିବାରୁ ତାଙ୍କ ପରିବାରର ୧୨ ଜଣ ସଦସ୍ୟଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ଯୋନପୁର ଅଞ୍ଚଳରୁ ଆସିଥିବା ଆହୁରି ୬ଜଣ ବ୍ୟକ୍ତି ରହୁଥିବା ଜଣା ପଡିଥିଲା । ଅଧିକାରୀମାନେ ଯୋନପୁର ଅଞ୍ଚଳରୁ ଆସିଥିବା ଲୋକଙ୍କୁ ପଚାରିବାରୁ ସେମାନେ ଗତ ମାସ ୧୭ ତାରିଖ ଯୋନପୁରରୁ ରାୟପୁରକୁ ଟ୍ରେନରେ ଆସି ସେଠାରୁ ବସ ଯୋଗେ ଦଶ ମାଇଲ ଆସିଥିବା କହି ଟ୍ରେନ ଟିକେଟ ଦେଖାଇଥିଲେ । ସେମାନେ ଏଠାକୁ ଏକ ନିର୍ବନ୍ଧ କାମରେ ଆସି ଲକ ଡାଉନ ଯୋଗୁଁ ଆଉ ଫେରି ପାରି ନ ଥିବା ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରି ଥିଲେ। ଏଥିସହିତ ଅନ୍ୟ ୧୮ ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ରଖା ଯିବାକୁ ଉପଜିଲାପାଳ ନିର୍ଦେଶ ଦେଇଥିଲେ ।

Share