୩ ଜାତିକୁ ସମ୍ବିଧାନର ୨୪ ଧାରାରେ ସାମିଲ ମାମଲା:୪ ସପ୍ତାହ ଭିତରେ ପଦକ୍ଷେପ ନିଅ

କଟକ ଅଫିସ, ୬ା୧୧:ଭାରତୀୟ ସମ୍ବିଧାନର ଧାରା ୨୪ର ଅନୁସୂଚିତ ଜାତି ତାଲିକାରେ ଗିର୍‌ଗିରିଆ, ଗିର୍‌ଗିରା, ଗିଙ୍ଗିରା ଜାତି ସାମିଲ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରି ଏବଂ ବିଚାରପତି କେ.ଆର୍‌. ମହାପାତ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ମଙ୍ଗଳବାର ଶେଷ କରିଛନ୍ତି। ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଆଇନଜୀବୀ ସୁଧାଂଶୁ ଶେଖର ବେହେରା ଏବଂ ଅନ୍ୟମାନେ ଧାରା ୨୪ ଅନୁସୂଚିତ ଜାତି ତାଲିକାରେ ଉପରୋକ୍ତ ୩ ଜାତିକୁ ସାମିଲ କରିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଆବେଦନକାରୀ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିକଟରେ ସମାନ ଦାବି ଉପସ୍ଥାପନ କରିଥିଲେ। ବିଭାଗ ଆବେଦନକାରୀଙ୍କ ଦାବିକୁ ତର୍ଜମା କରି ଗତ ଜୁନ୍‌ ୨୪ତାରିଖରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗକୁ ଉକ୍ତ ୩ଜାତିକୁ ତଫସିଲଭୁକ୍ତ ଜାତି ବର୍ଗରେ ସାମିଲ କରିବାକୁ ସୁପାରିସ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏ ନେଇ କୌଣସି ତତ୍ପରତା ପ୍ରକାଶ ନ କରିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦ୍ୱିବେଦୀ, ନିରଞ୍ଜନ ହୋତା ଏବଂ ସ୍ମୃତିଧର ପତି ମାମଲା ପରିଚାଳନା କରୁଥିଲେ।

Share