ଭୁବନେଶ୍ୱର,୨୩।୬(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ଝାରସୁୁଗଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲାର ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ସର୍ବାଧିକ ୧୩୩.୨ ମିଲିମିଟର ବର୍ଷା ହୋଇଥିବା ବେଳେ ବଲାଙ୍ଗୀର ୯୭, ବାଲେଶ୍ୱର ୧୩.୨, ତାଳଚେର ୩୦, କୋରାପୁଟ ୧୧.୬, ଟିଟିଲାଗଡ ୧୧୦, ବାରିପଦା ୨୨.୪, ମାଲକାନଗିରି ୭.୪ ଏବଂ ସୋନପୁରରେ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।