୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨ା୧(ବ୍ୟୁରୋ): ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଗୁରୁବାର ୩ ଜିଲାରେ ପ୍ରବଳ ବର୍ଷିବ ଏବଂ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାକୁ ଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହେବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଗୁରୁବାର ଦେବଗଡ଼, ସୋନପୁର, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଆଦି ୮ଟି ଜିଲାରେ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶୁକ୍ରବାର ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଆଦି ୬ଜିଲାରେ ଘଡ଼ଘଡ଼ି, ବିଜୁଳି ସହିତ ଝଡ଼ ହେବ। ତେଣୁ ଏ ସମସ୍ତ ୬ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ମଧ୍ୟରେ ଖସିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ବୁଧବାର ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି। ଏହାଛଡ଼ା କେନ୍ଦୁଝରରେ ୬.୮, ତାଳଚେରରେ ୮.୯, ଫୁଲବାଣୀରେ ୯, ସୋନପୁରରେ ୯.୬, ସୁନ୍ଦରଗଡ଼ରେ ୧୦, ବାଲେଶ୍ୱରରେ ୧୦.୧, ଦାରିଙ୍ଗବାଡ଼ିରେ ୧୦.୫, ଟିଟିଲାଗଡ଼ରେ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦ୍ୱୈତନଗରୀ କଟକରେ ତାପମାତ୍ରା ୧୦.୮ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୧୨.୬ ଡିଗ୍ରୀ ରହିଥିଲା।

Share