୩ ଦିନ ଧରି ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ ଲାଗି ପ୍ରସ୍ତୁତି: ଭାଇଚାରା ଅତୁଟ ରଖିବାକୁ ଗୁରୁତ୍ୱ

ଭଦ୍ରକ ଅଫିସ,୭ା୮-ଭଦ୍ରକରେ ଭାଇଚାରା ସହକାରେ ଆଗାମୀ ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ କରାଯିବ ବୋଲି ସୋମବାର ଅପରାହ୍ନରେ ଜିଲା ପ୍ରଶାସନ ଓ ଚଉଦ ମହଲା ମୁସ୍‌ଲିମ୍‌ ଜମାତ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପର୍ବ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ ଅଧ୍ୟକ୍ଷତା କରିଥିଲେ। ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଆରକ୍ଷୀ ଅଧୀକ୍ଷକ ବିକାଶ ଦାସ, ଉପଜିଲାପାଳ ପୀତାମ୍ବର ସାମଲଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।
ଆସନ୍ତା ୧୨,୧୩,୧୪ ତାରିଖ ୩ଦିନ ଧରି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଇଦ୍‌-ଉଲ-ଜୁହା ପର୍ବ ପାଳନ କରାଯିବ। ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ଲାଗି ଜିଲାପାଳ ସବୁବର୍ଗର ଲୋକଙ୍କ ସହଯୋଗ ଲୋଡିିଥିଲେ। ପର୍ବ ପାଳନ ପାଇଁ ବିଭିନ୍ନ ଅସ୍ଥାୟୀ ବ୍ୟବସ୍ଥା କରାଯିବା ସକାଶେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୧୪ମହଲା ମୁସ୍‌ଲିମ ଜମାତର ସଭାପତି ଅବଦୁଲ ବାରିଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଶାନ୍ତି କମିଟି କର୍ମକର୍ତ୍ତା, ଟାଉନ୍‌ ଥାନା, ପୁରୁଣାବଜାର ଓ ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପଜିଲାପାଳ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।