୩ ଦିନ ଧରି ହେବ ସାତକୋଶିଆରେ କୁମ୍ଭୀର ଗଣନା

ଗଣିଆ,୯ା୧(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହେଉଛି। ଏହି ଗଣନା କାର୍ଯ୍ୟ ୯,୧୦,୧୧ ତାରିଖ ତିନିଦିନ ଧରି କରାଯିବ। ତେବେ ସାତକୋଶିଆରେ ୮ଟି ୟୁନିଟ ଓ ମହାନଦୀ ଡିଭିଜନରେ ୫ଟି ୟୁନିଟ କୁମ୍ଭୀର ଗଣନା କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି। ପ୍ରତି ୟୁନିଟରେ ୨ଜଣ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ ୨ଜଣ ଲେଖାଁଏ ନାଉରିଆ ଥିବାବେଳେ ଗୋଟିଏ ଲେଖାଏଁ ଦେଶୀଡଙ୍ଗା ନିୟୋଜିତ କରାଯାଇଛି।
ମହାନଦୀ ଅବବାହିକାର ନୟାଗଡ ଜିଲା ଗଣିଆ ବ୍ଲକ ମଣିଭଦ୍ରା କଳାପାଟ ପୀଠଠାରୁ ବଡ଼ମୂଳ, ବଡମୂଳଠାରୁ କୁତୁରୀ, କୁତୁରୀଠାରୁ ମାରଡା,ବୌଦ୍ଧ ଜିଲାର ମାରଡାଠାରୁ ଶୀତଳପାଣି ଓ ଶୀତଳପାଣିଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଏବଂ ବିଭିନ୍ନ ଜଳାଶୟଗୁଡିକରେ ଏହି ଗଣନା କାର୍ଯ୍ୟ କରାଯିବ। ଏହି ଗଣନା ସମୟରେ କୁମ୍ଭୀରକୁ ସିଧାସଳଖ ଦେଖିବା ସହ କୁମ୍ଭୀର ଘୋଷରା ଚିହ୍ନକୁ ଅନୁଧ୍ୟାନ କରି ଗଣନା କରାଯାଉଥିବା ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ୍‌ ବିଜୟ କୁମାର ମହାନ୍ତି କହିଛନ୍ତି। ଏହି ୩ଦିନ ଧରି ମହାନଦୀରେ ନୌକାଚାଳନା,ମାଛ ଧରିବା ଓ ପର୍ଯ୍ୟଟକଙ୍କ ନୌକାବିହାର କାର୍ଯ୍ୟକୁ କଡାକଡି ଭାବେ ନିଷେଧ କରାଯାଇଥିବା ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଅଶୋକ ଦାସ ସୂଚନା ଦେଇଛନ୍ତି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ଛାମୁଣ୍ଡିଆ,କୁଶଙ୍ଗ ବନାଞ୍ଚଳର ମହାନଦୀ ଅବବାହିକାରେ ଥିବା ସମସ୍ତ ବିଟ୍‌ଗୁଡିକର ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Share