Advertisement
Categories: ମେଟ୍ରୋ

୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ପଞ୍ଚାୟତର ବିଲପାଟଣା ଗ୍ରାମରୁ ବୁଧବାର ୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର କରାଯାଇଛି। ଗ୍ରାମର ରଶ୍ମିକାନ୍ତ ପରିଡ଼ା ସକାଳୁ ପାଳଗଦାରୁ କୁଟା ଆଣିବାକୁ ଗଲାବେଳେ ଏକ ନାଗସାପ ପାଳଗଦା ତଳେ ପଶିଯିବାର ଦେଖିଲେ। ନିରେଖି କରି ଦେଖିବାରୁ ପାଳଗଦା ତଳେ ଥିବା ଏକ ଗାତ ଭିତରେ କିଛି ଅଣ୍ଡା ଦେଖିବାକୁ ପାଇଲେ। ନାଗୁଣୀ ଅଣ୍ଡା ଦେଇଛି ଶୁଣି ସେଠାରେ ଗ୍ରାମବାସୀଙ୍କର ଭିଡ଼ ଜମିଥିଲା। ସ୍ନେକ ହେଲ୍ପଲାଇନ୍‌ର ସ୍ଥାନୀୟ ସଦସ୍ୟ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଏକ ନାଗୁଣୀ ଓ ତା’ର ୧୩ ଅଣ୍ଡାକୁ ଉଦ୍ଧାର କରିଥିଲେ। ଆଉ ସାପ ଥିବା ଆଶଙ୍କାରେ ଉକ୍ତ ପାଳଗଦାକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର କଲା ପରେ ଅନ୍ୟ ଦୁଇଟି ଗାତ ଭିତରୁ ଆଉ ୨ଟି ନାଗୁଣୀ ବାହାରିଥିଲେ। ତାଙ୍କର ୨୨ଟି ଲେଖାଏ ଅଣ୍ଡା ମଧ୍ୟ ସୁଶାନ୍ତ ଉଦ୍ଧାର କରିଥିଲେ। ସାପ ୩ଟିକୁ ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ଏବଂ ଅଣ୍ଡାଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଳ୍ପଲାଇନ୍‌ କାର୍ଯ୍ୟାଳୟକୁ ନିଆଯାଇଛି। ଏ ନେଇ ସ୍ନେକ ହେଲ୍ପଲାଇନ୍‌ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ନାଗସାପଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଗଲାଣି। ଏକ ଛୋଟ ଜାଗାରୁ ଏକାଥରେ ୩ ନାଗୁଣୀ ଅଣ୍ଡା ସହ ଉଦ୍ଧାର ହେବା ଘଟଣାକୁ ‘କଲୋନିଆଲ୍‌ ନେଷ୍ଟିଂ ବା ବ୍ରିଡିଂ’ କୁହାଯାଏ। ଯେଉଁଠି ଅଣ୍ଡା ସହ ସାପଙ୍କୁ ଦେଖିବାକୁ ମିଳିବ, ସେଠାରେ ସାପଙ୍କୁ ନ ମାରି ଏବଂ ଅଣ୍ଡାକୁ ନଷ୍ଟ ନ କରି ସ୍ନେକ ହେଲ୍ପଲାଇନ୍‌ କିମ୍ବା ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବାକୁ ଶୁଭେନ୍ଦୁ କହିଛନ୍ତି। ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ନିଜର ଘରବାଡ଼ିକୁ ପ୍ରତି ସପ୍ତାହରେ ଅନୂ୍ୟନ ଥରେ ଭଲ ଭାବେ ସଫା କଲେ ସମ୍ଭାବ୍ୟ ସାପ ଅଣ୍ଡା ଦେଇଥିବା ଜଣାପଡ଼ିଯିବ ବୋଲି ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share