Categories: ଖେଳ

୩ ପଦାଧିକାରୀଙ୍କୁ ସସ୍‌ପେଣ୍ଡ କଲା କ୍ରିକେଟ ସାଉଥ୍‌ ଆଫ୍ରିକା

ଜୋହାନ୍ସବର୍ଗ,୩୧।୧୦(ଏଏଫ୍‌ପି)- କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ବୁଧବାର ତା’ର ୩ଜଣ ପଦାଧିକାରୀଙ୍କୁ ସସ୍‌ପେଣ୍ଡ କରିଛି। ତେବେ ଏହି ୩ ପଦାଧିକାରୀଙ୍କ ନାମ ସ୍ପଷ୍ଟ କରାଯାଇ ନାହିଁ। ଏମାନଙ୍କ ମଧ୍ୟରେ ଅନ୍ତରୀଣ କ୍ରିକେଟ ନିର୍ଦ୍ଦେଶକ କୋରି ଭାନ ଜିଲ ସାମିଲ ରହିଛନ୍ତି ବୋଲି ଦକ୍ଷିଣ ଆଫ୍ରିକ ଗଣମାଧ୍ୟମ ସୂଚନା ଦେଇଛି। ଜିଲ୍‌ ଏଥର ଫୁଲ ଟାଇମ୍‌ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି କୁହାଯାଉଥିଲା। ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ସିଏସ୍‌ଏ ଏହି କଡ଼ା ନିଷ୍ପତ୍ତି ନେଇଛି। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଏମ୍‌ଜାନସି ସୁପର ଲିଗ୍‌ ଟି୨୦ ଟୁର୍ନାମେଣ୍ଟ ପରେ ଖେଳାଳିମାନଙ୍କୁ ସେମାନଙ୍କ ପାଉଣା ଦିଆ ନ ଯିବା ନେଇ ଘଟଣାକୁ ଦୃଷ୍ଟିରେ ରଖି ସିଏସ୍‌ଏ ଏହି ନିଷ୍ପତ୍ତି ନେଇଛି ବୋଲି କୁହାଯାଇଛି। ଚିଫ୍‌ ଅପରେଟିଂ ଅଫିସର ନାସେଇ ଆପିଆ ଓ ସ୍ପନ୍ସରଶିପ୍‌ ମୁଖ୍ୟ କ୍ଲାଇଭ ଏକଷ୍ଟିନ ସସ୍‌ପେଣ୍ଡ ହୋଇଥିବା କଥା କୁହାଯାଇଛି। ଡିସେମ୍ବର ୨୬ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ।

Share