Categories: ଜାତୀୟ

୩ ପିଢ଼ିର ଇତିହାସ: ବିଜୟାରାଜେ-ମାଧବରାଓଙ୍କ ପଦାନୁସରଣ କଲେ ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବୁଧବାର ଭାଜପାରେ ଯୋଗ ଦେଇଛନ୍ତି। ଲଗାତାର ତୃତୀୟ ପିଢ଼ି ଧରି ସିନ୍ଧିଆ ରାଜପରିବାର ସଦସ୍ୟ କଂଗ୍ରେସ ପରିତ୍ୟାଗ କରିଛନ୍ତି। ପୂର୍ବରୁ ବୁଢ଼ୀ ମା ଓ ପିତା କଂଗ୍ରେସ ଛାଡ଼ିଥିବାବେଳେ ଏବେ ଜ୍ୟୋତିରାଦିତ୍ୟ ମଧ୍ୟ ସେମାନଙ୍କ ପଦାନୁସରଣ କରିଛନ୍ତି। ରାଜମାତା ବିଜୟାରାଜେ ସିନ୍ଧିଆ ୧୯୬୭ରେ କଂଗ୍ରେସ ଛାଡ଼ି ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଲୋକ ସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସରକାର ଗଠନ କରିଥିଲା। ଡି.ପି. ମିଶ୍ରା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ କଂଗ୍ରେସର ୩୬ଜଣ ବିଧାୟକ ବିଜୟାରାଜେଙ୍କୁ ସମର୍ଥନ ଜଣାଇ ଇସ୍ତଫା ଦେଇଥିଲେ। ଫଳରେ ରାଜ୍ୟରେ କଂଗ୍ରେସ ସରକାରର ପତନ ଘଟିଥିଲା। ସେହିପରି ୧୯୮୦ରେ ମାଧବ ରାଓ ସିନ୍ଧିଆ କଂଗ୍ରେସରେ ଯୋଗଦେଇଥିଲେ। ତେବେ ୧୯୯୩ରେ ତାଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କରା ନ ଯିବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇ ମଧ୍ୟପ୍ରଦେଶ ବିକାଶ କଂଗ୍ରେସ ରାଜନୈତିକ ଦଳ ଗଠନ କରିଥିଲେ। ପରେ ମାଧବରାଓ ପୁଣି କଂଗ୍ରେସକୁ ଫେରିଥିଲେ। ୨୦୦୧ ସେପ୍ଟେମ୍ବର ୩୦ରେ ମାଧବରାଓଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ୨୦୦୨ରେ ହୋଇଥିବା ଉପନିର୍ବାଚନରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜପରିବାରର ଉତ୍ତାଧିକାରୀ ଭାବେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏବେ ଜ୍ୟୋତିରାଦିତ୍ୟ ପୂର୍ବର ଘଟଣାକୁ ଦୋହରାଇ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଛନ୍ତି।

Share