୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଲୋଭୋଲ୍‌ଟେଜ୍‌ ସମସ୍ୟା: ସିଙ୍ଗଲ ଫେଜ୍‌ ଲାଇନକୁ ୩ ଫେଜ୍‌ କରିବା ଦାବିରେ ସେସୁ ଅଫିସ ଘେରାଉ

ଚୌଦାର,୧୫।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସେସୁ ଅଫିସକୁ ଓଟିଏମ୍‌ କଲୋନି ୧୧ନଂ. ୱାର୍ଡ ବାସିନ୍ଦା ଶୁକ୍ରବାର ଘେରାଉ କରିଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନଧରି ଲୋଭୋଲ୍‌ଟେଜ ସମସ୍ୟା ଲାଗି ରହିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ଅଞ୍ଚଳବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମସ୍ୟା ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଲାଗିରହିଛି। ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ସମାଧାନ କରାଯାଇ ପାରିନାହିଁ। ଏଣୁ ଅଞ୍ଚଳବାସୀ ଏହି ସିଙ୍ଗଲ ଫେଜ୍‌ ଲାଇନକୁ ୩ ଫେଜ୍‌ କରିବା ପାଇଁ ଦାବି କରିଛନ୍ତି । ଏହି ବିଷୟରେ ବିଭାଗୀୟ ଏଡ଼ିଓ ସମୀର ପଢ଼ିହାରିଙ୍କୁ ପଚାରିବାରୁ ୪ ଦିନ ଭିତରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ସେ କହିଛନ୍ତି।

Share