୩ ବର୍ଷରେ ଓଏସ୍‌ଏଫ୍‌ଡିସି ଏସ୍‌ସି,ଏସ୍‌ଟି ଯୁବତୀଯୁବକଙ୍କୁ ୨୧୪୧.୪୬ ଲକ୍ଷ ଟଙ୍କା ସବ୍‌ସିଡି ଦେଇଛି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତଥା ଅନ୍ୟ ଜିଲାରେ ବାସ କରୁଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଯୁବତୀଯୁବକ ଏବଂ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନାରେ ବ୍ୟାଙ୍କରୁ ସବ୍‌ସିଡିରେ ଋଣ ଯୋଗାଇ ଦିଆଯାଉଛି। ଏହି ଋଣ ଓଡ଼ିଶା ଏସ୍‌ସି/ଏସ୍‌ଟି, ଅର୍ଥ ଉନ୍ନୟନ ସମବାୟ ନିଗମ(ଓଏସ୍‌ଏଫ୍‌ଡିସି) ପ୍ରଦାନ କରିଥାଏ। ଏହି ଯୋଜନାରେ ବିଭିନ୍ନ ଆୟକାରୀ ପ୍ରକଳ୍ପ ଯଥା କୃଷି ଉନ୍ନୟନ, ପଶୁ ପାଳନ, ମାଛ ଚାଷ, କ୍ଷୁଦ୍ର ଜଳସେଚନ, କ୍ଷୁଦ୍ର କୁଟୀରଶିଳ୍ପ ଆଦି ପ୍ରକଳ୍ପ ପାଇଁ ରିହାତିଯୁକ୍ତ ଋଣ ପ୍ରଦାନ କରାଯାଉଛି। ଗତ ୩ବର୍ଷରେ ଏହି ଯୋଜନାରେ ୧୮୨୬ ଅନୁସୂଚିତ ଜାତିର ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୩୬୫୭ ହିତାଧିକାରୀଙ୍କୁ ଋଣ ଯୋଗାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ଋଣ ସବ୍‌ସିଡି ମାଧ୍ୟମରେ ନିଗମ ୨୧୪୧.୪୬ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରିଛି। ଏହାଛଡ଼ା ନିଗମ ଦ୍ୱାରା ଅନୁସୂଚିତ ଜାତି ବର୍ଗର ଯୁବତୀଯୁବକଙ୍କୁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ତାଲିମ ଯୋଜନା ଅଧୀନରେ ବିଭିନ୍ନ ପଞ୍ଜୀକୃତ ସଂସ୍ଥା ଜରିଆରେ ତାଲିମ ଦିଆଯାଇ ଆତ୍ମନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରାଯାଉଛି। ଗତ ୩ ବର୍ଷ ମଧ୍ୟରେ ଅନୁସୂଚିତ ଜାତିର ୭୭୦୦ ଯୁବତୀଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ଶୁକ୍ରବାର ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

Share