Categories: ଜାତୀୟ

୩ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

ହାଇଦ୍ରାବାଦ, ୩୧-୧:ତେଲଙ୍ଗାନାର ଅସିଫାବାଦ ଜିଲା ଅନ୍ତର୍ଗତ ଆଦିିଲାବାଦର ସ୍ବତନ୍ତ୍ର କୋର୍ଟ ଗୁରୁବାର ୩ ବଳାତ୍କାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ୩ ଅଭିଯୁକ୍ତ ଶୈକ୍‌ ବାବୁ, ଶେକ୍‌ ଶାବୁଦ୍ଦିନ, ଶେକ୍‌ ମକଦୁମ୍‌ଙ୍କୁ ଗଣବଳାତ୍କାର, ହତ୍ୟା ମାମଲାରେ ମାତ୍ର ଦୁଇମାସ ମଧ୍ୟରେ ଦୋଷୀ ଦର୍ଶାଇ ଚରମ ଦଣ୍ଡାଦେଶ ଦେଇଛନ୍ତି। ଆଇପିସିର ୩୦୨ ଓ ଅନ୍ୟ ଦଫା ସେମାନଙ୍କ ବିରୋଧରେ ଲଗାଯାଇଛି। ଗତବର୍ଷ ନଭେମ୍ବର ୨୪ରେ ଇଲ୍ଲାପତର ଗ୍ରାମରେ ବାସନ ଓ ବେଲୁନ୍‌ ଆଦି ବିକ୍ରି କରୁଥିବା ଜଣେ ମହିଳାଙ୍କୁ ଟେକିନେଇ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର ପରେ ତଣ୍ଟିକାଟି ହତ୍ୟା କରାଯାଇଥିଲା। ପୀଡ଼ିତାଙ୍କ ମୋବାଇଲ ନମ୍ବର ଓ ରକ୍ତଭିଜା ଲୁଗାକୁ ଆଧାର କରି ତଦନ୍ତ ଜୋର୍‌ ଧରିଥିଲା। ନଭେମ୍ବର ୨୭ରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ମାମଲାରେ ୨୫ ସାକ୍ଷୀଙ୍କ ମତାମତ ଓ ପୋଲିସର ଡିଏନ୍‌ଏ ରିପୋର୍ଟ ସହ ଅନ୍ୟ ବୈଜ୍ଞାନିକ ତଥ୍ୟ କୋର୍ଟରେ ହାଜର କରାଯାଇଥିଲା। ଜଘନ୍ୟ କାଣ୍ଡକୁ ନେଇ ଜିଲାରେ ବିକ୍ଷୋଭ ଜାରି ରହିବା ପରେ ରାଜ୍ୟ ସରକାର ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟରେ ମାମଲାର ଶୁଣାଣି କରିଥିଲେ।

Share