୩ ବାଇକ୍‌ ସହ ଚୋରା କୋଇଲା ଜବତ, ଜଣେ ଗିରଫ

ପଦ୍ମପୁର, ୩୧ା୫(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ପୋଲିସ କୋରବାଟିଆ ଛକ ଠାରୁ ୩ଟି ବାଇକ୍‌ ସହ ୬ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କୋଇଲା ଶନିବାର ସନ୍ଧ୍ୟାରେ ଜବତ କରିଛି। ସୂଚନା ଅନୁଯାୟୀ, ଏକଡାଳ ହତାଶିଆ ରାସ୍ତାରେ ୩ଟି ବାଇକ୍‌ରେ ଚୋରା କୋଇଲା ଆସୁଥିବାର ସୂଚନା ପାଇ ନାୟକାଣିଡିହୀ ଥାନା ଏଏସ୍‌ଆଇ ଦିଲୀପ କୁମାର ଦେହୁରୀ, କନଷ୍ଟେବଳ ରଞ୍ଜନ କୁମାର ମିଶ୍ର, ରମେଶ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ବାରିକ, ମୋଟରସାଇକେଲ ଯୋଗେ ଆସି ଚୋରା କୋଇଲା ବେପାରୀଙ୍କୁ ଦୁଇପଟୁ ଘେରି ଯାଇଥିଲେ। ବାଇକ୍‌ ଚାଳକମାନେ ପୋଲିସକୁ ଦେଖି ବାଇକ୍‌ ଏବଂ କୋଇଲା ଛାଡ଼ି ବିଲରେ ଦୌଡ଼ି ୨ ଜଣ ଫେରାର ହୋଇଯାଉଥିବା ବେଳେ ଜଣେ ପୋଲିସ ହାତରେ ଧରା ପଡ଼ିଥିଲେ। ଗିରଫ ବ୍ୟକ୍ତି ଜଣକ ହେଲେ ତିହିଡ଼ି ଥାନା ଅଧୀନ ମଙ୍ଗଳପୁର ଗ୍ରାମର କୃପାସିନ୍ଧୁ ମହାଳିକ। ପୋଲିସ ଘଟଣାସ୍ଥଳରୁ ୩ଟି ବାଇକ୍‌ ଓ କୋଇଲାକୁ ଜବତ କରି ଥାନାକୁ ନେଇଛି। ଏନେଇ ଥାନାରେ ୩ ଜଣଙ୍କ ନାମରେ ମାମଲା(ନଂ ୫୪/୨୦) ରୁଜୁ କରି ଅଭିଯୁକ୍ତ କୃପାସିନ୍ଧୁଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ମନ୍ତେଇନଦୀରେ ଚାରବାଟିଆ, ବାଲିଆପାଳ, ଦୋହରାସାହି ଓ ମାଟିଆସାହି ଘାଟରୁ ଚୋରା କୋଇଲା ବେପାରୀମାନେ ଡଙ୍ଗା ଯୋଗେ କୋଇଲା ଆଣି ବାହାର ବଜାରରେ ବିକ୍ରି କରୁଛନ୍ତି।