୩ ବିଦେଶ ଫେରନ୍ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଇଂଲଣ୍ଡ ଓ କୁଏତ୍‌ରୁ ୨ ଜଣ ଭଞ୍ଜନଗର ବାସିନ୍ଦା ଗତ ସପ୍ତାହରେ ଘରକୁ ଫେରିଥିବା ବେଳେ ଶନିବାର ଦୁବାଇରୁ ଆଉ ଜଣେ ଘରକୁ ଫେରିଛନ୍ତି। ସେମାନେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ତଥାପି ଘରେ ଅନ୍ୟମାନଙ୍କ ଠାରୁ ୧୪ ଦିନ ଅଲଗା (ଆଇସୋଲେଶନ)ରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିଭଳି ଓଡ଼ିଶା ବାହାରୁ ୨୪୪ ଜଣ ରବିବାର ମଧ୍ୟାହ୍ନରେ ଆସିଥିବା ଭଞ୍ଜନଗର ମେଡ଼ିକାଲ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ଭଞ୍ଜନଗର ମେଡିକାଲରେ ହୋଇଥିବା ସ୍ବତନ୍ତ୍ର କରୋନା ଓ୍ବାର୍ଡରେ ପଚରାଉଚରା ପରେ ୨୪୧ଜଣ ସୁସ୍ଥ ଥିବାରୁ ସେମାନଙ୍କୁ ଘରକୁ ଯିବାପାଇଁ ପରାମର୍ଶ ଦିଆଯାଇଥିଲା। ବାକି ୩ ଜଣଙ୍କୁ ଥଣ୍ଡା ଜ୍ୱର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ସେମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ନ ଥିତ୍ବା ଜଣାପଡ଼ିଛି । ଅପରପକ୍ଷେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ହେଲେ ଏକମାତ୍ର ଉପାୟ ହେଲା ସଚେତନତା। ଲୋକେ ସଚେତନ ହୋଇ ପଦକ୍ଷେପ ନେଲେ କରୋନାରେ ଆକ୍ରାନ୍ତ ହେବେ ନାହିଁ। ତେଣୁ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଏହାର ପ୍ରଭାବ ରବିବାର ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି । କାଁ ଭାଁ କେତକ ସ୍ଥାନରେ ଲୋକେ ଚଳପ୍ରଚଳ କରୁଛନ୍ତି। ଅପରପକ୍ଷେ ଭଞ୍ଜନଗର ମେଡ଼ିକାଲକୁ ଆଜି ମଧ୍ୟାହ୍ନରେ ଆଉଟଡୋର୍‌ରେ ୩୨ଜଣ ବିଭିନ୍ନ ରୋଗୀ ଚିକିତ୍ସିତ ହେବାକୁ ଆସିଥିବା ବେଳେ କରୋନା ଓ୍ବାର୍ଡରେ ଅନ୍ୟ ରାଜ୍ୟରୁ ଆସିଥିତ୍ବା ୧୨ ଜଣ ପରାମର୍ଶ ନେଇ ଘରକୁ ଫେରିଯାଇଥିବା ଜଣାପଡ଼ିଛି।

Share